ବାରିପଦା ଅଫିସ,୨୬।୮: ଲଘୁଚାପ ଜନିିତ ଲଗାଣ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲା ବାରିପଦା ସହରର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ମଙ୍ଗଳବାର ରାତି ତମାମ ବର୍ଷା ଲାଗିରହିବାରୁ ବୁଧବାର ସକାଳୁ ଜରାଳି ଓ ସରାଳୀ ନଦୀର ବନ୍ୟା ଜଳ ପ୍ରବେଶ କରଛି। ଏହାର ପ୍ରଭାବରେ ଶୂନଗଡିଆ, ମଧୁବନ, ବିଜୟରାମଚନ୍ଦ୍ରପୁର, ପରେଡ୍ ପଡ଼ିଆ ଆଦି ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ଲୋକଙ୍କ ଘରରେ ପାଣି ପଶିଛି । କେତେକ ସ୍ଥାନରେ କଚ୍ଚା ଘର ଗୁଡିକ ଭାଙ୍ଗି ଯାଇଥିବା ବେଳେ ସ୍ଥାନେସ୍ଥାନେ କାନ୍ଥ ପଡିଥିବା ଦେଖିବାକୁ ମିଳିଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଅଞ୍ଚଳବାସୀଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅତିରିକ୍ତ ଜିଲାପାଳ ବିବେକାନନ୍ଦ ସାହୁ, ତହସିଲଦାର ରାମଚନ୍ଦ୍ର ସରେନ ପ୍ରମୁଖ ବନ୍ୟା ପରିସ୍ଥିତି ମୁକାବିଲା କରିବା ସହ ବିପନ୍ନ ପରିବାରକୁ ଥଇଥାନ କରିଛନ୍ତି।