ଭୁବନେଶ୍ୱର,୮।୨(ବ୍ୟୁରୋ): ରାଜ୍ୟରୁ ଶୀତ ଅପସରି ଯାଉଛି। ରାତିରେ ହାଲୁକା ଶୀତ ହେଉଥିଲେ ମଧ୍ୟ ଦିନର ତାପମାତ୍ରା ଉପରମୁହଁା ହେଲାଣି। ଗତ ଦୁଇ ତିନିଦିନ ହେବ ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇଛି। ଖରା ପ୍ରକୋପ ଧୀରେ ଧୀରେ ବଢ଼ିବା ଆରମ୍ଭ ହେଲାଣି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୋମବାର ଟିଟିଲାଗଡ଼ର ସର୍ବୋଚ୍ଚ ତାପମାତ୍ରା ୩୨ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀର ୩୧, କଟକ ୩୦.୨, ଭବାନୀପାଟଣା ୩୦.୨, ସୋନପୁର ୩୦.୫, ନୟାଗଡ଼ ୩୦, ବୌଦ୍ଧ ୩୦.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଦିନରେ ଉତ୍ତାପ ବଢୁଥିବା ବେଳେ ରାତ୍ରିରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଥିବା ବେଳେ ସୋନପୁର ୯, ଦାରିଙ୍ଗବାଡି ୯.୫, କେନ୍ଦୁଝର ୯.୮ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି।
ତେବେ ଆସନ୍ତା ୯ ତାରିଖରୁ ରାଜ୍ୟକୁ ପୁଣି ପଶ୍ଚିମା ବାୟୁ ପ୍ରବାହ ହେବ। ଏହାର ପ୍ରଭାବରେ ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା ରହିଛି। ୧୧ ତାରିଖରେ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ ଓ କନ୍ଧମାଳ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ରାସ୍ତାରେ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇପାରେ। ଦୁର୍ଘଟଣାକୁ ଏଡ଼ାଇବାକୁ ଜିଲାପାଳ ଓ ଏସ୍ପିଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।