Categories: ଜାତୀୟ

ବୈଷୟିକ ଶିକ୍ଷାରେ ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଭାରତର ପ୍ରଗତିକୁ ଗତିଶୀଳ କରାଇବ

ଚଣ୍ଡିଗଡ଼,୧୦।୧୦(ପି.ଟି.): ଦେଶର ବିକାଶକୁ ତ୍ୱରାନ୍ବିତ କରିବାକୁ ହେଲେ ଅଧିକରୁ ଅଧିକ ଛାତ୍ରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମଲେଖାଇବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରବିବାର ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ଇଞ୍ଜିନିୟରିଂ କଲେଜ୍‌ (ପିଇସି)ର ୫୨ତମ ସମାବର୍ତ୍ତନ ଉତ୍ସବ ଏବଂ ଶତବାର୍ଷିକୀର ଉଦ୍‌ଯାପନୀ ଉତ୍ସବରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଏଭଳି ପରାମର୍ଶ ଦେଇଛନ୍ତି।

ଦେଶକୁ ବହୁସଂଖ୍ୟାରେ ମେଧାବୀ ଛାତ୍ରୀଛାତ୍ର ପ୍ରଦାନ କରିଥିବା ପିଇସିକୁ ରାଷ୍ଟ୍ରପତି ଉଚ୍ଚ ପ୍ରଶଂସା କରିଥିଲେ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ତଥା ଭାରତରେ ଫ୍ଲୁଇଡ୍‌ ଡାଇନାମିକ୍ସ ଗବେଷଣାର ଜନକ ପ୍ରଫେସର ସତୀଶ ଧାଓ୍ବନ, ବିଶିଷ୍ଟ ଶିକ୍ଷାବିତ୍‌ ତଥା ଆଇଆଇଟି ଦିଲ୍ଲୀର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ଆର୍‌.ଏନ. ଡୋଗ୍ରା ଏବଂ ମିସାଇଲ୍‌ ଟେକ୍‌ନୋଲୋଜି ଓ ଷ୍ଟ୍ରାଟେଜିକ୍‌ ସିଷ୍ଟମ୍‌ ବିଶେଷଜ୍ଞ ଡ. ସତୀଶ କୁମାର ପଞ୍ଜାବ ଇଞ୍ଜିନିୟରିଂ କଲେଜର ପୂର୍ବତନ ଛାତ୍ର। ମହାକାଶକୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ପ୍ରଥମ ମହିଳା କଳ୍ପନା ଚାଓ୍ବଲା ପିଇସି ଏରୋନଟିକାଲ ଇଞ୍ଜିନିୟରିଂର ପୂର୍ବତନ ଛାତ୍ରୀ। ତାଙ୍କ ନାମରେ ଉକ୍ତ କଲେଜରେ କଳ୍ପନା ଚାଓ୍ବଲା ଚେୟାର ଅଫ୍‌ ଜିଓସ୍ପାଟିଆଲ୍‌ ଟେକ୍‌ନୋଲୋଜି ସ୍ଥାପନ କରାଯାଇଥିବା ମୁର୍ମୁ କହିଥିଲେ। ଛାତ୍ରୀଛାତ୍ରମାନେ ଆଗାମୀ ଭାରତର ନିର୍ମାତା। ସେମାନେ ଜୀବନରେ ଯାହା ହେବାକୁ ନିଷ୍ପତ୍ତି ନିଅନ୍ତୁ ନା କାହିଁକି ମାତୃଭୂମି ପ୍ରତି ସେମାନଙ୍କ କର୍ତ୍ତବ୍ୟ କଦାପି ଭୁଲିଯିବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି କହିଛନ୍ତି।

Share