Advertisement

ବଢୁଛି ନାରୀ ନିର୍ଯାତନା: ଜିଲାପାଳଙ୍କ ଅଫିସ ଆଗରେ କଂଗ୍ରେସର ପ୍ରତିବାଦ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଅଛନ୍ତି। ନାରୀ ନିର୍ଯାତନା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବେଟି ବଞ୍ଚାଅ, ବେଟି ପଡ଼ାଅ ସ୍ଲୋଗାନ ଦେଉଥିବା ଡବଲ ଇଞ୍ଜିନ ସରକାରଙ୍କ ୮ ମାସର ଶାସନକାଳ ଲଜ୍ଜାରେ ଭରି ରହିଛି ।

ଗତ ୮ ମାସ ମଧ୍ୟରେ ୫୪ଟି ଗଣବଳାତ୍କାର ଘଟଣା ସରକାରଙ୍କ ଆଇନଶୃଙ୍ଖଳାର ବିଫଳତାକୁ ପଦାରେ ପକାଇଛି। ଏଭଳି ଅଭିଯୋଗ କରି ମହିଳାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ପ୍ରଦେଶ କଂଗ୍ରେସର ଆହ୍ବାନ କ୍ରମେ ସୋମବାର ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଜିଲା କଂଗ୍ରେସ କମିଟି ସଭାପତି ହରଦୀପ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଚିନ୍ମୟ ବେଉରା ପ୍ରଦେଶ କଂଗ୍ରେସ ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ। ସେ କହିଥିଲେ, ସୁଭଦ୍ରା ଯୋଜନା ଟଙ୍କା ବାଣ୍ଟି ମୋହନ ସରକାର ନିଜର ପ୍ରଚାର କରୁଛନ୍ତି। ଅନ୍ୟପକ୍ଷରେ ନାରୀ ସୁରକ୍ଷା ଦିଗରେ ଭାଜପା ସରକାର ମୌନ ରହିଛି ।

ବାଲେଶ୍ୱରର ସୋର, ଢେଙ୍କାନାଳ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀରର ଖଇରାପାଢୀ, କୋରାପୁଟରର ଲକ୍ଷ୍ମୀପୁର, ଭଦ୍ରକର ଚଡ଼ା, ଦେଓଗଡ଼ ଓ ବରଗଡ଼ ଧନୁଯାତ୍ରା ସମୟରେ ମହିଳାମାନଙ୍କ ପ୍ରତି ଗଣବଳାତ୍କାର ଘଟଣା ରାଜ୍ୟବାସୀଙ୍କ ଭିତରେ ଆଲୋଡନ ସୃଷ୍ଟି କରିଛି ବୋଲି ସେ କହିଥିଲେ।

ଯେଉଁ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ, ଛାତ୍ରୀମାନେ କୁଆଁରୀ ମା’ ହେବା ପ୍ରଶାସନିକ ବ୍ୟବସ୍ଥାକୁ ଲଜ୍ଜିତ କରିଛି। ଏହା ବିରୋଧରେ ଲଢେଇ କରିବାକୁ ହେବ । କଂଗ୍ରେସ କର୍ମୀ ଓ ଜନସାଧାରଣ ଆଗେଇ ଆସନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ଜିଲା କଂଗ୍ରେସ ସଭାପତି ହରଦୀପ ସିଂଙ୍କ ସମେତ ଅନନ୍ତ ଶୟନ ପାଢୀ, ଯୁଗଳ ପ୍ରସାଦ ସିଂ, ସରୋଜ ଷଡଙ୍ଗୀ, କିଶୋର ଦଫାଦାର, ବ୍ରହ୍ମା ମହାକୁଡ, ଟଙ୍କଧର ସାହୁ, ଅଭିଷେକ ସେଠ, ମୋତିଲାଲ ଦାଶ, ପଞ୍ଚାନନ ମିଶ୍ର, ଗୁଣମଣୀ ସାହୁ, ସୁଧୀର ଜେନା, ରବି ପଣ୍ଡା, ସତ୍ୟନାରାୟଣ ଦେବତା, ଅମିତ ଆଚାର୍ଯ୍ୟ, ଆଜାତ ପତି ପ୍ରମୁଖ ସାମିଲ ହୋଇ ନିଜ ମତ ରଖିଥିଲେ। ଆନ୍ଦୋଳନ ସ୍ଥଳକୁ ବରଗଡ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଆସି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଗ୍ରହଣ କରିଥିଲେ। ପ୍ରତାପ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Share