Categories: ଖେଳ

ଖୁସିରେ ଗଦ୍‌ଗଦ୍‌ ଦ୍ରାଭିଡ ଥାପୁଡାଇଲେ ପିଠି

କୋଲକତା,୨୨।୧୧: ତୃତୀୟ ଟି-୨୦ରେ ଭାରତ ନ୍ୟୁଜିଲାଣ୍ଡକୁ ୭୩ ରନରେ ପରାସ୍ତ କରିଛି। ଏଥିସହ ଭାରତ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୧୮୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ନ୍ୟୁଜିଲାଣ୍ଡର ଦଳ ୧୧୧ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଏହି ମ୍ୟାଚରେ ଇଶାନ କିଶନ ଭଲ ଫିଲ୍ଡିଂ କରିଥିଲେ ଏବଂ ଫିଲ୍ଡିଂ ଦ୍ୱାରା ଦୁଇ ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଆଉଟ କରିଥିଲେ। ଇଶାନଙ୍କ ଫିଲ୍ଡିଂ ଦେଖି ମୁଖ୍ୟ କୋଚ ରାହୁଲ ଦ୍ରାଭିଡ ବହୁତ ଖୁସି ହୋଇଥିଲେ।
ନ୍ୟୁଜିଲାଣ୍ଡ ଇନିଂସର ଦ୍ୱାଦଶ ଓଭରରେ ଇଶାନ ନିଜର ଚମତ୍କାର ଥ୍ରୋ ସହିତ ଟିମ ସେଫର୍ଟଙ୍କୁ ଆଉଟ କରିଥିଲେ। ସେ ଦ୍ୱିତୀୟ ରନ ନେବାକୁ ଚେଷ୍ଟା କରୁଥିଲେ। ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ସମୟରେ ଇଶାନ ଆଉ ଏକ ସଠିକ ଥ୍ରୋ କରିଥିଲେ। ୧୪ ତମ ଓଭରରେ ମିଚେଲ ସାଣ୍ଟନର୍‌ ଦୀପକ ଚହରଙ୍କ ପ୍ରଥମ ବଲକୁ ଛକା ମାରିଥିଲେ। ଏଥର ମଧ୍ୟ ସାଣ୍ଟନର୍‌ ସିଧାସଳଖ ଇଶାନଙ୍କ ସଠିକ ଥ୍ରୋ ସହ ଆଉଟ ହୋଇଥିଲେ। ଲଗାତାର ଦୁଇଟି ଥ୍ରୋରୁ ଦୁଇଟି ଉଇକେଟ ନେବା ପରେ ପୁରା ଦଳ ଖୁସି ହୋଇଥିଲା। ଅଧିନାୟକ ରୋହିତ ମଧ୍ୟ ଇଶାନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହିତ ଷ୍ଟାଣ୍ଡରେ ବସିଥିବା ଭାରତୀୟ ମୁଖ୍ୟ କୋଚ ଦ୍ରାଭିଡ ଖୁସିରେ ତାଙ୍କ ପାଖରେ ବସିଥିବା  ଫିଲ୍ଡିଂ କୋଚଙ୍କ ପିଠି ଥାପୁଡାଇ ଥିଲେ।

Share