Categories: ଖେଳ

ମଙ୍ଗଳବାର ତୃତୀୟ ଟି-୨୦: ବ୍ୟାଟିଂ ଲାଗି ସହାୟକ ହେବ ବର୍ଷାପରା କ୍ରିକେଟ ଷ୍ଟାଡିୟମ

ଗୁଆହାଟୀ,୨୭ା୧୧: ୫ ମ୍ୟାଚ ବିଶିଷ୍ଟ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ଦୁଇ ମ୍ୟାଚ୍‌ ଜିତିବା ପରେ ମଙ୍ଗଳବାର ଗୁଆହାଟୀ ବର୍ଷାପରା ଷ୍ଟାଡିୟମରେ ତୃତୀୟ ମ୍ୟାଚ୍‌ ଖେଳିବ ଭାରତ। ଏହି ମ୍ୟାଚ୍‌ ଜିତି ଆଗୁଆ ସିରିଜ୍‌ କବ୍‌ଜା କରିବାକୁ ଚାହିଁବ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱଧୀନ ଦଳ। ଏହା ସହିତ ମଧ୍ୟକ୍ରମ ବ୍ୟାଟର ତିଳକ ବର୍ମା କିଛି କ୍ୱାଲିଟି ବ୍ୟାଟିଂ ଟାଇମ୍‌ ପିଚ୍‌ରେ ଅତିବାହିତ କରିବାକୁ ଚାହିଁବେ।

ବିଶ୍ୱ କପ୍‌ ପରେ ଶ୍ରେୟସ ଆୟରଙ୍କୁ ୧ ସପ୍ତାହର ବିଶ୍ରାମ ଦିଆ ଯାଇଥିବା ବେଳେ ରାୟପୁରରେ ଖେଳା ଯିବାକୁ ଥିବା ମ୍ୟାଚ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିବେ। ଅନ୍ତିମ ଦୁଇ ମ୍ୟାଚ୍‌ ପାଇଁ ଆୟରଙ୍କୁ ଉପ ଅଧିନାୟକ ଚୟନ କରାଯାଇଥିବା ବେଳେ ସେ ଚୂଡାନ୍ତ ଏକାଦଶରେ ସାମିଲ ହେବାର ସମ୍ଭାବନା ଅଧିକ। ତେଣୁ ଆୟର ସାମିଲ ହେଲେ ତିଳକ ବର୍ମା ହିଁ ଏକମାତ୍ର ଖେଳାଳି ଭାବେ ବାଦ ପଡିବାର ସମ୍ଭାବନା ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ଭାରତ ଭଲ ବ୍ୟାଟିଂ କରି ବିଜୟୀ ହୋଇଛି। ସମାନ ପ୍ରଦର୍ଶନ ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ମଧ୍ୟ ଦେଖିବାକୁ ମିଳିବ। ହେଲେ ଏହି ଷ୍ଟାଡିୟମ ବ୍ୟାଟିଂ ସହାୟକ ହୋଇଥାଏ। ମ୍ୟାଚ୍‌ ସନ୍ଧ୍ୟା ୭.୦୦ ଆରମ୍ଭ ହେବ। ସ୍ପୋଟର୍‌ସ ୧୮ରେ ଖେଳର ପ୍ରସାରଣ କରାଯିବ।

Share