Categories: ଖେଳ

ମାଟି କାମୁଡିଲା କଙ୍ଗାରୁ ଟିମ୍‌: ଭାରତର ଐତିହାସିକ ବିଜୟ

ପର୍ଥ,୨୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଐତିହାସିକ ବିଜୟ ହାସଲ କରିଛି। ପର୍ଥରେ ଚାଲିଥିବା ଏହି ମ୍ୟାଚ୍‌ରେ ଭାରତ କଙ୍ଗାରୁ ଟିମ୍‌କୁ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଭାରତ ୨୯୫ ରନ୍‌ରେ ବିଜୟ ହାସଲ କରିଛି। ୫୩୪ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ଟିମ୍‌ ମାତ୍ର ୨୩୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଫଳରେ ଭାରତ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ବୁମ୍‌ରା ଏବଂ ସିରାଜ୍‌ ୩ଟି ଲେଖାଏ ଉଇକେଟ୍‌ ନେଇଥିଲେ।

ଟସ ଜିତିବା ଏବଂ ପ୍ରଥମେ ବ୍ୟାଟିଂ କରିବା ପରେ ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୦୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ପ୍ରଥମ ଇନିଂସ ଆଧାରରେ ଭାରତ ୪୬ ରନର ଅଗ୍ରଣୀ ହାସଲ କରିଥିଲା। ୬ ଉଇକେଟ୍‌ରେ ୪୮୭ ରନ୍‌ରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା ଏବଂ ୫୩୩ ରନ୍‌ର ଅଗ୍ରଣୀ ହାସଲ କରିଥିଲା।

ଏହି ସିରିଜ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ କେଉଁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ପହଞ୍ଚିବ ତାହା ସ୍ପଷ୍ଟ ହୋଇଯିବ। ଭାରତ ଅତିକମରେ ଚାରିଟି ଟେଷ୍ଟ ଜିତିବା ଆବଶ୍ୟକ।

Share