Categories: ଖେଳ

ଛୋଲେ-ଭଟୁରେ ଅର୍ଡର ଦେଲେ କୋହଲି

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ସମୟରେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଛୋଲେ-ଭଟୁରେ ଦେଖି କେତେ ଖୁସି ହୋଇଯାଉଛନ୍ତି ତାହା ଦେଖାଯାଇଛି। କୋହଲି ଛୋଲେ-ଭଟୁରେକୁ ବହୁତ ଖାଇବାକୁ ପସନ୍ଦ କରନ୍ତି । ବିଶେଷକରି ତାଙ୍କ ସହର ଦିଲ୍ଲୀର ପ୍ରସିଦ୍ଧ ରାମଙ୍କ ଛୋଲେ-ଭଟୁରେ। ସେ ଯେତେବେଳେ ବି ଦିଲ୍ଲୀ ଆସନ୍ତି, ନିଶ୍ଚିତ ଭାବରେ ଏହାର ସ୍ବାଦ ଚାଖନ୍ତି। ବର୍ତ୍ତମାନ ମ୍ୟାଚ ଦିଲ୍ଲୀରେ ଅଛି ଏବଂ ବିରାଟ କୋହଲି ଛୋଲେ ଭଟୁର୍‌ ଖାଇବାକୁ ଆଦୌ ଭୁଲି ନାହାନ୍ତି। ମ୍ୟାଚ୍‌ ଚାଲିଥିବା ବେଳେ ସେ ଛୋଲେ-ଭଟୁରେ ଅର୍ଡର ଦେଇଥିଲେ।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ବିରାଟ କୋହଲି କୋଚ ରାହୁଲ ଦ୍ରାବିଡଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ଜଣେ ବ୍ୟକ୍ତି ତାଙ୍କୁ ଛୋଲେ-ଭଟୁରେ ଆଣିଥିଲେ। ତା’ପରେ ବିରାଟଙ୍କ ପ୍ରତିକ୍ରିୟା ଏକ ଛୋଟ ପିଲା ଭଳି ଥିଲା। ସେ ଏହା ଦେଖି ଖୁସି ହୁଅନ୍ତି। ବିରାଟ ଖୁସି ଥିବା ଦେଖି କୋଚ ରାହୁଲ ଦ୍ରାବିଡ ନିଜେ ମଧ୍ୟ ହସନ୍ତି। ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିବା ମାତ୍ରେ ଏହା ଭାଇରାଲ ହୋଇଥିଲା।
ଦିଲ୍ଲୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଅତ୍ୟନ୍ତ ରୋମାଞ୍ଚକ ମୋଡ଼ରେ ଆସିଛି। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଫଳରେ ଭାରତକୁ ୧୧୫ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

Share