Categories: ଖେଳ

ଭାରତୀୟ ଦଳକୁ ଜୋରଦାର ଝଟ୍‌କା: ୨ ଖେଳାଳି କରୋନା ପଜିଟିଭ୍‌, ବାକି ଖେଳାଳିଙ୍କୁ ନେଇ ଆସିଲା ଅପଡେଟ୍‌

ଲଣ୍ଡନ,୧୫।୭: ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ ଦଳର ଜଣେ ନୁହେଁ, ବରଂ ଦୁଇ ଖେଳାଳିଙ୍କ କରୋନା ପଜିଟିଭ ଥିବା ସୂଚନା ମିଳିଛି। ଏହା ବ୍ୟତୀତ ଟିମ ଇଣ୍ଡିଆର ବାକି ଖେଳାଳିମାନେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଉଭୟ ଖେଳାଳିଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। କରୋନା ଆକ୍ରାନ୍ତ ୨ ଖେଳାଳିଙ୍କ ସାମାନ୍ୟ ଲକ୍ଷଣ ଥିଲା। ଗଳାରେ ଯନ୍ତ୍ରଣା, ଥଣ୍ଡା ହୋଇଥିଲା। କରୋନା ପରୀକ୍ଷା ସରିବା ପରେ ଉଭୟ ଖେଳାଳିଙ୍କ କୋଭିଡ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ତେବେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣେ ଖେଳାଳିଙ୍କର ରିପୋର୍ଟ ନେଗେଟିଭ୍‌ ଆସିଛି। ସେମାନଙ୍କ ସହ ମିଶିଥିବା ଖେଳାଳିଙ୍କ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଉଭୟଙ୍କ ନାଁ ଘୋଷଣା କରି ନାହିଁ। ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପରେ ବିସିସିଆଇ ଟିମ ଇଣ୍ଡିଆର ଖେଳାଳି ଏବଂ କର୍ମଚାରୀଙ୍କୁ ୨୦ ଦିନ ଛୁଟି ଦେଇଥିଲା। ଏହି ସମୟରେ ଖେଳାଳିମାନଙ୍କୁ ଇଂଲଣ୍ଡର ଯେକୌଣସି ସ୍ଥାନକୁ ଯିବାକୁ ଅନୁମତି ଦିଆଯାଇଥିଲା। କିଛି ଖେଳାଳି ମଧ୍ୟ ୟୁରୋ କପ ଏବଂ ୱିମ୍ବେଲଡନ ମ୍ୟାଚ ଦେଖିବାକୁ ଯାଇଥିଲେ । କୁହାଯାଉଛି ଯେ ପଜିଟିଭ୍‌ ଥିବା ଉଭୟ ଖେଳାଳିଙ୍କୁ କିଛି ଦିନ ପୂର୍ବରୁ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ,ଭାରତୀୟ ଦଳ ସମସ୍ତ ଖେଲାଳି କିଛି ଦିନ ପୂର୍ବରୁ ଇଂଲଣ୍ଡରେ କରୋନାର ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି। ଆସନ୍ତ ଅଗଷ୍ଟ ୪ରୁ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବ। ଏହାପୂର୍ବରୁ ଦଳ ଜୁଲାଇ ୨୦ରେ ଡରହମରେ କାଉଣ୍ଟି ଚାମ୍ପିଅନ୍‌ଶିପ୍‌ ଏକାଦଶ ସହ ଭାରତୀୟ ଦଳ ଅଭ୍ୟାସ ମ୍ୟାଚ୍‌ ଖେଳିବ।