Categories: ଖେଳ

ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ଦଳ, ଶନିବାର ଅଭ୍ୟାସ ଆରମ୍ଭ

ନୂଆଦିଲ୍ଳୀ,୨।୬: ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳ ଗୁରୁବାର ଦିଲ୍ଲୀରେ ପହଞ୍ଚିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ତେମ୍ବା ବଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଶନିବାରଠାରୁ ତା’ର ଅଭ୍ୟାସ ଆରମ୍ଭ କରିବ। ଦଳକୁ ପୂର୍ବ ଭଳି ବାୟୋ ବବଲରେ ରହିବାକୁ ପଡ଼ିବ ନାହିଁ। କିନ୍ତୁ ପ୍ରତିଦିନ ପ୍ରତ୍ୟେକ ଖେଳାଳିଙ୍କ ଆରଟି-ପିସିଆର୍‌ ଟେଷ୍ଟ କରାଯିବ। ଏହି ସିରିଜ୍‌ରେ ଲୋକେଶ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେବେ। ଉଇକେଟକିପର ରିଷଭ ପନ୍ତ ଉପ ଅଧିନାୟକ ଭାବେ ତାଙ୍କୁ ସହଯୋଗ କରିବେ। ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ବର୍ଷ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ ପରେ ଦଳକୁ ଫେରିଛନ୍ତି। ଉମ୍ରାନ ମଲିକ ଓ ଅର୍ଶଦୀପ ସିଂ ପ୍ରଥମ ଥର ପାଇଁ ଜାତୀୟ ଦଳରୁ ଡାକରା ପାଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ୍‌ ପକ୍ଷରୁ ପ୍ରତିନିଧିତ୍ୱ କରିଥିବା କଶ୍ମୀର ପେସର ମଲିକ ୧୩ ମ୍ୟାଚ୍‌ରେ ୨୧ ଉଇକେଟ ନେଇଥିଲେ।

Share