Categories: ଖେଳ

ଚମକପ୍ରଦ ବିଜୟ ହାସଲ କଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୫।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ଭାରତ ୨ ଉଇକେଟରେ ଜିତିଥିଲା। ଏହି ବିଜୟ ସହିତ ଏହି ସିରିଜ ଭାରତ ହାତେଇଛି। ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ୧୨ଟି ସିରିଜ ଜିତିବାର ରେକର୍ଡ ମଧ୍ୟ ଭାରତ ନାଁରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୩୧୧ ରନ ସଂଗ୍ରହ କରିଥିଲା। ସଞ୍ଜୁ ସାମସନ ଏବଂ ଶ୍ରେୟାସ ଆୟାରଙ୍କ ଅର୍ଦ୍ଧଶତକ ପରେ ଅକ୍ଷର ପଟେଲଙ୍କ ଅପରାଜିତ ୬୪ ସହାୟତାରେ ଟିମ ଇଣ୍ଡିଆ ୪୯.୪ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। ଏହା ସହ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଭାରତୀୟ ଦଳ ୨-୦ ଅଗ୍ରଣୀ ହାସଲ କରିଛି। କ୍ରମାଗତ ଦ୍ୱାଦଶ ସିରିଜରେ ଭାରତୀୟ ଦଳ କାରିବିଆନ ଦଳକୁ ପରାସ୍ତ କରିଛି। ୩୫ ବଲରୁ ଅପରାଜିତ ୬୪ ରନ କରିଥିବା ଅକ୍ଷର ପଟେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଅକ୍ଷରଙ୍କ ବ୍ୟତୀତ ଶ୍ରେୟସ ଆୟାର ୬୩ ଏବଂ ସଞ୍ଜୁ ସାମସନ ୫୪ ରନ ସ୍କୋର କରିଥିଲେ।
କୁଇନ୍ସ ପାର୍କ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଶତକ ହାସଲ କରିଥିଲେ ଓ୍ବେଷ୍ଟଇଣ୍ଡିଜର ଶାଇ ହୋପ୍‌। ଫଳରେ ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୬ ଉଇକେଟ ହରାଇ ୩୧୧ ରନ କରିଥିଲା। ନିଜ ଶତକ ମ୍ୟାଚରେ ହୋପ୍‌ ୧୧୫ (୧୩୫ ବଲ, ୮ ଚୌକା, ୩ ଛକା) ରନ କରିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ୧୦ମ ଖେଳାଳିଭାବେ ସେ ୧୦୦ତମ ମ୍ୟାଚରେ ଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ ଗର୍ଡନ ଗ୍ରିନିଜ, କ୍ରିସ୍‌ କେନର୍‌ସ, ମହମ୍ମଦ ୟୁସୁଫ, କୁମାର ସଙ୍ଗକାରା, କ୍ରିସ୍‌ ଗେଲ୍‌, ମାର୍କୁସ ଟ୍ରେସ୍କୋଥିକ୍‌, ରାମନରେଶ ସରଓ୍ବନ, ଡେଭିଡ ଓ୍ବାର୍ନର ଓ ଶିଖର ଧାଓ୍ବନ ଏହି କ୍ଲବର ସଦସ୍ୟ ଥିଲେ। ଏଠାରେ ହୋପ୍‌ଙ୍କ ସ୍ମରଣୀୟ ଇନିଂସ ବ୍ୟତୀତ ଅଧିନାୟକ ନିକୋଲସ ପୁରନ ୭୪ (୭୭ ବଲ, ୧ ଚୌକା, ୬ ଛକା) ରନର ଇନିଂସ ଖେଳିଥିଲେ। କାଏଲ ମେୟର୍ସ ୩୯ ଓ ଶାମରା ବ୍ରୁକ୍ସ ୩୫ ରନ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ଶାର୍ଦ୍ଦୂଳ ଠାକୁର ୩ଟି ଏବଂ ଦୀପକ ହୁଦା, ଅକ୍ଷର ପଟେଲ ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share