Categories: ଖେଳ

ମୁଁ ଏବେ କଇଁଛ, ଠେକୁଆ ନୁହେଁ: ଭାରତର ପରାଜୟ ପରେ କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ବାର୍ବାଡୋସ୍‌,୩୦।୭: ୱେଷ୍ଟଇଣ୍ଡିଜରେ ୬ ବର୍ଷ ପରେ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପରାଜୟ ବରଣ କରିଛି। ବାର୍ବାଡୋସ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଆୟୋଜକ ଦଳଠାରୁ ୬ ଉଇକେଟରେ ପରାସ୍ତ ହୋଇଛି। ପରେ ଏହି ସିରିଜ ୧-୧ ସ୍ତରକୁ ଆସିଛି। ବର୍ତ୍ତମାନ ତୃତୀୟ ଏବଂ ନିର୍ଣ୍ଣାୟକ ମ୍ୟାଚ ଅଗଷ୍ଟ ୨ରେ ତ୍ରିନିଦାଦରେ ଖେଳାଯିବ। ଦ୍ୱିତୀୟ ଦିନିକିଆରେ ଅତ୍ୟଧିକ ପରୀକ୍ଷଣ ଟିମ ଇଣ୍ଡିଆର ପରାଜୟର କାରଣ କୁହାଯାଉଛି।
ଏହି ମ୍ୟାଚରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିଲା। ଉପ-ଅଧିନାୟକ ହାର୍ଦ୍ଦିକ ଦଳର ଦାୟିତ୍ୱ ଗ୍ରହଣ କରିଥିଲେ ମଧ୍ୟ ଜିତିପାରି ନ ଥିଲେ। ମ୍ୟାଚ ପରେ ହାର୍ଦ୍ଦିକ କହିଛନ୍ତି, ଆଜି ଉଇକେଟ ମ୍ୟାଚ ପାଇଁ ଭଲ ଥିଲା, କିନ୍ତୁ ଆମର ବ୍ୟାଟ୍ସମ୍ୟାନମାନେ ଖରାପ ସଟ ଖେଳି ଉଇକେଟ ହରାଇଥିଲେ।
ହାର୍ଦ୍ଦିକ ଆହୁରି ମଧ୍ୟ କହିଛନ୍ତି, ପରାଜୟକୁ ନେଇ ନିରାଶା ଅଛି, କିନ୍ତୁ ବହୁତ କିଛି ଶିଖିବାକୁ ଅଛି। ଓପନରମାନେ ଯେଉଁଭଳି ବ୍ୟାଟିଂ କରିଛନ୍ତି, ତାହା ଭାରତୀୟ କ୍ରିକେଟ ପାଇଁ ଗୁରୁତ୍ୱପୂର୍ଣ୍ଣ। ଇଶାନ କିଶନ ଏକ ଭଲ ଇନିଂସ ଖେଳିଥିଲେ। ମୁଁ ବର୍ତ୍ତମାନ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି। ସେଥିପାଇଁ ମୁଁ ଅଧିକ ଓଭର ବୋଲିଂ କରୁଛି। ମୁଁ ଏବେ କଇଁଛ, ଠେକୁଆ ନୁହେଁ ବୋଲି ସେ କହିଛି।

Share