ଭୁବନେଶ୍ୱର,୨୬।୯ (ବ୍ୟୁରୋ): ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ଯୁବକଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ସେଠାରୁ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯିବା ପରେ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ଯାଜପୁର ଜିଲା ମଙ୍ଗଳପୁର ଥାନା ଅଞ୍ଚଳର ଆଶିଷ କର। ତାଙ୍କଠାରୁ ପୋଲିସ ୨ଟି ମୋବାଇଲ ଫୋନ୍ ଜବତ କରିଛି। ଅଭିଯୁକ୍ତ ଆଶିଷ ନୟାପଲ୍ଲୀ ଥାନା ଅନ୍ତର୍ଗତ ତ୍ରିନାଥ ନଗର ବସ୍ତିରେ ରହୁଥିଲେ। ୮ ମାସ ପୂର୍ବେ ଆଶିଷ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସାନ ଭଉଣୀଙ୍କୁ ନେଇ ପଳାଇଥିଲେ। ତେବେ ପରବର୍ତ୍ତୀ ସମୟରେ ପ୍ରେମିକା ତଥା ବଡ଼ ଭଉଣୀଙ୍କ ସହ ଭିଡିଓ କଲିଂ କରି କଥାହେବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ମୋବାଇଲରେ ଉଠାଇ ନେଇ ତାଙ୍କ ଦାଦାଙ୍କ ନିକଟକୁ ପଠାଇ ଦେଇଥିଲେ। ଏ ନେଇ ଯୁବତୀଙ୍କ ବାପା ଜୁନ୍ ୨୬ରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତ ଆଶିଷଙ୍କ ମୋବାଇଲ୍ ଟ୍ରାକ କରି ହାଇଦ୍ରାବାଦର ଜୁବିଲ୍ ହିଲସ୍ ପାର୍କ ଭିୟୁ ଏନ୍କ୍ଲେଭ ନିକଟରୁ ବଞ୍ଜାରା ହିଲ୍ ପୋଲିସ ସହାୟତାରେ ତାଙ୍କୁ କାବୁ କରିଥିଲେ।