Categories: ଜାତୀୟ

ଦିଲ୍ଲୀ-ନଏଡା ସୀମାରେ ଟ୍ରାଫିକ୍‌ ଜାମ୍‌: ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ହଜାର ହଜାର ଗାଡ଼ି

ନୂଆଦିଲ୍ଲୀ,୧୩।୮: ସ୍ବାଧୀନତା ଦିବସ ଆଉ ଗୋଟିଏ ଦିନ ବାକି ରହିଲା। ଏହାପୂର୍ବରୁ ଦିଲ୍ଲୀର ପ୍ରତ୍ୟେକ ଗଳିକନ୍ଦିରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଦିଆଯାଇଛି। ସ୍ବାଧୀନତା ଦିବସ କାର୍ଯ୍ୟକ୍ରମର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଫୁଲ୍‌ ଡ୍ରେସ ରିହର୍ସଲ ଅନୁଷ୍ଠିତ ହୋଇଥିଲା। ଏଥିଯୋଗୁ ଦିଲ୍ଲୀର ଅନେକ ଅଞ୍ଚଳର ରାସ୍ତାଘାଟ ବନ୍ଦ ରହିଥିବା ବେଳେ ପ୍ରବଳ ଜାମ୍‌ ଦେଖିବାକୁ ମିଳିଛି। ଫଳରେ ଟ୍ରାଫିକ୍‌ ମାର୍ଗକୁ ପରିବର୍ତ୍ତନ କରାଯାଇଥିଲା। ରିହର୍ସଲ ଯୋଗୁ ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ ରହିଥିବା ବେଳେ ଦିଲ୍ଲୀ-ନୋଏଡା ସୀମାରେ ହଜାର ହଜାର ଗାଡ଼ିମଟର ଅଟକି ରହିଥିବା ନଜର ଆସିଛି। ସୂଚନା ମୁତାବକ ସ୍ବାଧୀନତା ଦିବସରେ କୌଣସି ଅଘଟଣ ନ ଘଟୁ ସେଥିପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସୀମାରେ କଡ଼ା ଯାଞ୍ଚ କରାଯାଇଛି। ଫଳରେ ଦିଲ୍ଲୀରୁ ଆସୁଥିବା ଓ ଦିଲ୍ଲୀରୁ ଯାଉଥିବା ଗାଡ଼ିଗୁଡ଼ିକର ଯାଞ୍ଚ ଯୋଗୁ ଲମ୍ବା ଧାଡ଼ି ଲାଗିଯାଇଥିଲା। କେବଳ ସେତିକି ନୁହେଁ ଚିଲା ସୀମାରୁ ମହାମାୟା ଫ୍ଲାଏ ଓଭର ପର୍ଯ୍ୟନ୍ତ ଏକପ୍ରକାର ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଏହାପରେ ଟ୍ରାଫିକ ଡିସିପି ଓ ଅନ୍ୟ ପୋଲିସ ଅଧିକାରୀମାନେ ରାସ୍ତା ଜାମ୍‌ ହଟାଇବାକୁ ଚେଷ୍ଟା କରିଥିଲେ। ସୂଚନାଯୋଗ୍ୟ, ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀ-ନୋଏଡାର ବଡ଼ ସୀମାରେ ଭାରିଯାନର ପ୍ରବେଶକୁ ବନ୍ଦ କରାଯାଇଛି। ଦିଲ୍ଲୀ ପୋଲିସ ପକ୍ଷରୁ ଏନେଇ ଏକ ଆଡଭାଇଜରୀ ଜାରି କରାଯାଇଥିଲା। ଏଥିରେ ଲାଲ କିଲ୍ଲା ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସକାଳ ୪ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏଥିସହ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଏହା ଲାଗୁ ରହିବ ବୋଲି ସେଥିରେ ଉଲ୍ଲେଖ କରାଯାଇଛି।

 

Share