Categories: ଜାତୀୟ

ସ୍ବାଧୀନତା ଦିବସ: ବିଦେଶରୁ ଅଭିନନ୍ଦନର ସୁଅ…

ନୂଆଦିର୍ଲ୍ଲୀ,୧୫।୮ : ଭାରତ ଚଳିତ ବର୍ଷ ଏହାର ୭୭ ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଶମ ଥର ପାଇଁ ଲାଲ କିଲ୍ଲାରୁ ସମ୍ବୋଧିତ କରିଛନ୍ତି। ସ୍ବାଧୀନତା ଦିବସ ଅବସରରେ ବିଦେଶରୁ ଅଭିନନ୍ଦନର ସୁଅ ଛୁଟିବାର ଲାଗିଛି। ଫ୍ରାନ୍ସ , ରୁଷିଆ, ଅଷ୍ଟ୍ରେଲିଆ, ନେପାଳ ସମେତ ଅନେକ ଦେଶର ନେତା ଅଭିନନ୍ଦନ ଜଣାଇଛନ୍ତି।

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ସୋସିଆଲ ମିଡିଆରେ ନିଜର ଏବଂ ପିଏମ ମୋଦିଙ୍କ ଏକ ଫଟୋ ଶେୟାର କରିଛନ୍ତି। ସ୍ବାଧୀନତା ଦିବସରେ ସେ ଭାରତୀୟ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଏକ ମାସ ପୂର୍ବରୁ ପ୍ୟାରିସରେ ମୋର ବନ୍ଧୁ ନରେନ୍ଦ୍ର ମୋଦି ଏବଂ ମୁଁ ୨୦୪୭ ବର୍ଷ ପାଇଁ ଭାରତ ସ୍ବାଧୀନତାର ଶତବାର୍ଷିକୀ ପାଇଁ ନୂତନ ଇଣ୍ଡୋ-ଫରାସୀ ଅଭିଳାଷ ସ୍ଥିର କରିଛୁ। ଭାରତ ସବୁବେଳେ ଫ୍ରାନ୍ସକୁ ଏକ ନିର୍ଭରଯୋଗ୍ୟ ବନ୍ଧୁ ଏବଂ ସାଥୀ ଭାବରେ ଭରସା କରିଥାଏ।

ଏଥି ସହ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଆପଣଙ୍କ ଦେଶ ଅର୍ଥନୈତିକ, ବୈଜ୍ଞାନିକ ଏବଂ ବୈଷୟିକ, ସାମାଜିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ୱସ୍ତରରେ ସଫଳତା ହାସଲ କରିଛି। ବିଶ୍ୱ ମଞ୍ଚରେ ଭାରତ ସମ୍ମାନିତ ଏବଂ ଅନ୍ତର୍ଜାତୀୟ କାର୍ଯ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଗଠନମୂଳକ ଭୂମିକା ଗ୍ରହଣ କରୁଛି।

ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମଧ୍ୟ ସ୍ବାଧୀନତା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଭାରତର ସମସ୍ତ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହିପରି ଭାବରେ ଆମର ବନ୍ଧୁତା ଏବଂ ସହଯୋଗ ଅଧିକ ଶକ୍ତିଶାଳୀ ଏବଂ ସମୃଦ୍ଧ ହେଉ।

ଭାରତରେ ଥିବା ଅଷ୍ଟ୍ରେଲିୟା ହାଇ କମିଶନ ସମସ୍ତ ଭାରତୀୟଙ୍କୁ ସ୍ବାଧୀନତା ଦିବସ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଧ୍ୟ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି। ଏହାପୂର୍ବରୁ ହାଇ କମିଶନଙ୍କ ସହକର୍ମୀମାନେ ଭାରତର ତ୍ରିରଙ୍ଗା ଭଳି ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ସେମାନେ ତ୍ରିରଙ୍ଗା ଥିମ ଅଷ୍ଟ୍ରେଲିୟ ରୋଷେଇ ସହିତ ସକାଳର ଚା ଉପଭୋଗ କରିଥିଲେ ।

Share