ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ

ଚୌଦ୍ୱାର,୧୫।(ଡି.ଏନ୍‌.ଏ): କଟକ ଜିଲା ଚୌଦ୍ୱାର ସହରର ବିଭିନ୍ନ ସ୍ଥାନରେ କରୋନା କଟକଣାକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ଶନିବାର ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଚୌଦ୍ୱାର ପୌରକାର୍ଯାଳୟ ପରିସରରେ ନିର୍ବାହୀ ଅଧିକାରୀ ପବିତ୍ର ବେହେରା ପତାକା ଉତ୍ତୋଳନ କରିଥିଲେ । ସେହିପରି ଇମ୍ଫା ଚୌଦ୍ୱାର କାରଖାନା ମଧ୍ୟରେ ୭୪ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଅଛି। ଇମ୍ଫାର ବରିଷ୍ଠ ଉପସଭାପତି ବିଜୟାନନ୍ଦ ମହାପାତ୍ର କୋଭିଡ୍‌ କଟକଣା ମଧ୍ୟରେ ପାରମ୍ପରିକ ରୀତିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ପାଳନ ମଧ୍ୟରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧି ୧୦ଜଣ କାରଖାନା କର୍ମଚାରୀଙ୍କୁ ନେଇ ଜାତୀୟ ସଂଗୀତ ଗାନ କରାଯାଇଥିଲା। କରୋନା ମହାମାରୀ ସମୟରେ କିପରି ନିଜକୁ, ନିଜ ପରିବାର ସହ ଅନ୍ୟମାନଙ୍କୁ ସୁରକ୍ଷା ଦେବା ସହ କର୍ମ କ୍ଷେତ୍ରରେ ନିଜ ଦକ୍ଷତା ପ୍ରତିପାଦନ କରି କିପରି ସମାଜର ମଙ୍ଗଳ କରିପାରିବା, ବରିଷ୍ଠ ଉପସଭାପତି ମହାପାତ୍ର ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ। ଚୌଦ୍ୱାର ଥାନା ପରିସରରେ ଆଇଆଇସି ପଦ୍ମନାଭ ପ୍ରଧାନ,ଚୌଦ୍ୱାର ନଗର କଂଗ୍ରେସ, ଚୌଦ୍ୱାର ଭାଜପା କାର୍ଯ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନ, ଅଫିସ, ବ୍ୟାଙ୍କ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ମାନଙ୍କରେ ସାମାଜିକ ଦୂରତା ତଥା କୋଭିଡ୍‌ ନିୟମ ଅବଲମ୍ବନକରି ସ୍ବାଧୀନତା ଦିବସ ପାଳନ କରାଯାଇଛି।

Share