Categories: ଜାତୀୟ

ସ୍ବାଧୀନତା ଦିବସ: ସୀମାରେ ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ବିଏସଏଫ ପକ୍ଷରୁ ଅପରେଶନ ଆଲର୍ଟ…

ଜୈସେଲମେର,୧୦।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୧ ରୁ ୧୭ ପର୍ଯ୍ୟନ୍ତ ଭାରତ-ପାକିସ୍ଥାନ ଅନ୍ତର୍ଜାତୀୟ ସୀମାରେ ସୀମା ସୁରକ୍ଷା ବଳ (ବିଏସଏଫ) ଅପରେଶନ ଆଲର୍ଟ ଜାରି କରିବ। ଅନୁପ୍ରବେଶ ତଥା ଚୋରା ଚାଲାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକଳାପକୁ ରୋକିବା ପାଇଁ ଏହି ଅଭିଯାନ କରାଯିବ।

ବିଏସଏଫ ଅନୁଯାୟୀ, ଏହି ସମୟ ମଧ୍ୟରେ ଭାରତ-ପାକିସ୍ତାନ ସୀମା ନିକଟରେ ଥିବା ବ୍ୟାରିକେଡ ନିକଟରେ ଫୋର୍ସ କଡା ନଜର ରଖିବ ଏବଂ ପାଟ୍ରୋଲିଂ ବୃଦ୍ଧି ସହିତ ସୁରକ୍ଷା ପୋଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଓଟ ପାଟ୍ରୋଲିଂ ଏବଂ ପାଦ ପାଟ୍ରୋଲିଂ ମଧ୍ୟ ବୃଦ୍ଧି କରାଯିବ। ସୀମା ପାର ହୋଇ କୌଣସି ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ୨୪ ଘଣ୍ଟିଆ ନୀରିକ୍ଷଣ କରାଯିବ ।

ସୀମା ସୁରକ୍ଷା ବଳର ଇନ୍ସପେକ୍ଟର ଜେନେରାଲ (ରାଜସ୍ଥାନ ସୀମାନ୍ତ) ପୁନିତ ରସ୍ତୋଗୀ କହିଛନ୍ତି ବିଏସଏଫ ବର୍ଷସାରା ସୀମାରେ ସଜାଗ ରହିଥାଏ। ତେବେ ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ଅଧିକ ସତର୍କ ପଦକ୍ଷେପ ଗ୍ରହଣ କରାଯିବ।

ଏହି ସମୟ ମଧ୍ୟରେ ସୀମା ସୁରକ୍ଷା ବଳର ସୈନିକମାନଙ୍କ ସହିତ ସମସ୍ତ ଅଧିକାରୀ ମଧ୍ୟ ସୀମାରେ ରହିବେ। ସମ୍ବେଦନଶୀଳ ଅଞ୍ଚଳରେ ଯବାନଙ୍କ ସ୍ବତନ୍ତ୍ର ଭାବେ ନିୟୋଜନ କରାଯିବ। ରସ୍ତୋଗୀ କହିଛନ୍ତି, ବିଏସଏଫର ସମସ୍ତ ଶାଖାର ଅଧିକାରୀ ଏବଂ ଯବାନମାନେ ଅପରେଶନ ଆଲର୍ଟରେ ଅଂଶଗ୍ରହଣ କରିବେ। ସୀମାରେ ଥିବା ମରୁଭୂମି ଅଞ୍ଚଳରେ ସୁଦୂର, ନିଛାଟିଆ ସ୍ଥାନର ଯେପରି କୌଣସି ଅନୁପ୍ରବେଶ ନ ହେବ ସେଥିପାଇଁ ସୀମା ସୁରକ୍ଷା ବଳ ବିଶେଷ ବ୍ୟବସ୍ଥା କରିଥାଏ।

 

Share