ପୁରୁଷୋତ୍ତମପୁରରେ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ,ସ୍ତ୍ରୀଙ୍କ ବାଜିମାତ୍‌

ପୁରୁଷୋତ୍ତମପୁର,୨୬।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ବିଜେଡିକୁ ପଛରେ ପକାଇ ସ୍ବାଧୀନ ପ୍ରାର୍ଥୀ ସ୍ବାମୀ-ସ୍ତ୍ରୀ ବାଜି ମାରିନେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଏନ୍‌ଏସିକୁ ଦଖଲ କରିଥିବା ବେଳେ ତାଙ୍କ ସ୍ବାମୀ ଅଶୋକ କୁମାର ମହାକୁୁଡ କାଉନସିଲର ଭାବେ ୱାର୍ଡ ନମ୍ବର ୪ରୁ ବିଜୟୀ ହୋଇଛନ୍ତି। ଏହି ଦମ୍ପତି ବିଜେଡିର ଜିଲାସ୍ତରୀୟ କର୍ମକର୍ତ୍ତା ଭାବେ ରହିଥିବା ବେଳେ ଏନ୍‌ଏସି ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ଯାହାଫଳରେ ଉଭୟ ବିଜେଡିରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ଶେଷରେ ଉଭୟଙ୍କୁ ଜନତାଙ୍କ ପୂର୍ଣ୍ଣ ସମର୍ଥନ ମିଳିଛି ଏବଂ ସେମାନେ ବିଜୟୀ ହୋଇଛନ୍ତି। ୧୩ଟି ୱାର୍ଡ ମଧ୍ୟରୁ ୩ଟି ୱାର୍ଡକୁ ସ୍ବାଧୀନ ପ୍ରାର୍ଥୀ ଦଖଲ କରିଥିବା ବେଳେ ୧୦ଟି ୱାର୍ଡକୁ ବିଜେଡି ଦଖଲ କରିଛି। ମାତ୍ର ଏଠାରେ ଭାଜପା ଖାତା ଖୋଲିପାରିନାହିଁ। ଅଧ୍ୟକ୍ଷ ପଦବୀ ଲାଗି ଭାଜପାର ପ୍ରଭାତୀ ପଟ୍ଟନାୟକ ୨୦୦୫ ଖଣ୍ଡ ଭୋଟ ପାଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ୩୧୬୯ ଖଣ୍ଡ, ବିଜେଡି ପ୍ରାର୍ଥୀ ରଶ୍ମୀରେଖା ତ୍ରିପାଠୀ ୩୦୩୮ ଓ କଂଗ୍ରେସ ପ୍ରାର୍ଥୀ ସୂରଚିତା ସାହୁ ୧୫୪ ଖଣ୍ଡ ଭୋଟ ହାତେଇଛନ୍ତି। ସ୍ବାଧୀନ ପ୍ରାର୍ଥୀ ପ୍ରିୟଙ୍କା ଗୌଡ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ରଶ୍ମୀରେଖା ତ୍ରିପାଠୀଦ୍‌ଙ୍କ ଠାରୁ ୧୩୧ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କାଉନସିଲର ପଦବୀ ଲାଗି ୱାର୍ଡ ନମ୍ବର ୮ରେ କେହି ପ୍ରାର୍ଥୀ ନ ଥିବାରୁ ନିର୍ବାଚନ ହୋଇ ନ ଥିବା ବେଳେ ୧୩ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ସେଥିମଧ୍ୟରୁ ୱାର୍ଡ ନମ୍ବର ୧ରେ ଭବାନୀଶଙ୍କର ନାୟକ ସ୍ବାଧୀନ, ୱାର୍ଡ ନଂ ୨ରେ ବିଜେଡିର ଭାସ୍କର ବେହେରା, ୱାର୍ଡ ନଂ ୩ରେ ସ୍ବାଧୀନ ପ୍ରାର୍ଥୀ କେ ପ୍ରମୋଦ କୁମାର ଆଚାରି, ୱାର୍ଡ ନଂ ୪ରେ ସ୍ବାଧୀନ ପ୍ରାର୍ଥୀ ଅଶୋକ କୁମାର ମହାକୁଡ, ୱାର୍ଡ ନଂ ୫ରେ ବିଜେଡିର ସୁଜାତା ବେହେରା, ୱାର୍ଡ ନଂ ୬ରେ ବିଜେଡିର ସେୁଦଷ୍ଣା ବେହେରା ଓ ୱାର୍ଡ ନଂ ୭ରେ ବିଜେଡିର ଜମୁନା ବେହେରା ନିର୍ବାଚିତ ହୋଇଛନ୍ତି। ସେହିପରି ୱାର୍ଡ ନଂ ୯ରେ ବିଜେଡିର ଲିଙ୍ଗରାଜ ବେହେରା, ୱାର୍ଡ ନଂ ୧୦ରେ ବିଜେଡିର ଅର୍ଚ୍ଚନା ପଣ୍ଡା, ୱାର୍ଡ ନଂ ୧୧ରେ ବିଜେଡିର ଅରୁଣ କୁମାର ମହାକୁଡ, ୱାର୍ଡ ନଂ ୧୨ରେ ବିଜେଡିର ପ୍ରମିତା କୁମାରି ପଣ୍ଡା, ୱାର୍ଡ ନଂ ୧୩ରେ ବିଜେଡିର ଗିରିଜା ବେହେରା, ଓ ୱାର୍ଡ ନଂ ୧୪ରେ ବିଜେଡିର କୃଷ୍ଣ ଚନ୍ଦ୍ର ପଣ୍ଡା ବାଜି ମାରିନେଇଛନ୍ତି।