ନାମାଙ୍କନ ପ୍ରତ୍ୟାହାର କରିନେଲେ ସ୍ବାଧୀନ ପ୍ରାର୍ଥୀ

ଗୁଡ଼ଭେଲା,୧୪।୩(ଡି.ଏନ୍‌.ଏ.): ତୁଷୁରା ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ସୋମବାର ପୌରପରିଷଦ ନିର୍ବାଚନର ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇଥିଲା। ୧୦ ନମ୍ବର ୱାର୍ଡର ସ୍ବାଧୀନ ପ୍ରାର୍ଥୀ ଓମ ପ୍ରକାଶ ରଣା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିବା ନିର୍ବାଚନ ଅଧିକାରୀ ତଥା ତୁଷୁରା ତହସିଲଦାର ରବିନ୍ଦ୍ର ପଟେଲ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ୩ ଦଳର ୩ ଅଧ୍ୟକ୍ଷ ପ୍ରାର୍ଥୀ ଏବଂ ୩୨ଜଣ କାଉନ୍‌ସେଲରଙ୍କ ନାମାଙ୍କନ ପତ୍ର କାଏମ ରହିଛି। ବିଜେଡି ଓ ଭାଜପା ୧୧ଟି ୱାର୍ଡରେ ୧୧ଜଣ ପ୍ରାର୍ଥୀ ଦେଇଛନ୍ତି। ହେଲେ କଂଗ୍ର୍ରେସ ୪, ୫, ୭ ନମ୍ବର ୱାର୍ଡରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ଅନ୍ୟ ଓ୍ବାର୍ଡଗୁଡିକରେ ପ୍ରାର୍ଥୀ ଦେଇଛି। ସ୍ବାଧୀନ ଭାବେ ୬ ନମ୍ବର ୱାର୍ଡରୁ ରେଖା ଶର୍ମା କାଉନସେଲ ପାଇଁ ନାମାଙ୍କନ ପତ୍ର ଦାଖଳ କରିଥିବା ବେଳେ ୮ନମ୍ବର ୱାର୍ଡରୁ କବିତା ଭୋଇଙ୍କ ପ୍ରାର୍ଥୀ ପତ୍ର କାଏମ ରହିଥିବା ନିର୍ବାଚନ ଅଧିକାରୀ ପଟେଲ ସୂଚନା ଦେଇଛନ୍ତି।