Categories: ଜାତୀୟ

ଇଣ୍ଡିଆ ମେଣ୍ଟ ୪, ଭାଜପା ୩

ଲକ୍ଷ୍ନୌ/ଅଗରତାଲା,୯ା୯(ପି.ଟି.): ଇଣ୍ଡିଆ ମେଣ୍ଟରେ ଥିବା କଂଗ୍ରେସ, ଜେଏମ୍‌ଏମ୍‌, ଟିଏମ୍‌ସି ଏବଂ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏ ଆସନରେ ବିଜୟୀ ହୋଇଛନ୍ତି। ଭାଜପା ଉତ୍ତରାଖଣ୍ଡର ବାଗେଶ୍ୱର ଆସନ ଏବଂ ତ୍ରିପୁରାର ଧନପୁର ଆସନକୁ ବଜାୟ ରଖିଥିବାବେଳେ ଉତ୍ତରପୂର୍ବାଞ୍ଚଳ ରାଜ୍ୟର ବକ୍ସାନଗର ଆସନକୁ ସିପିଆଇ(ଏମ୍‌)ଠାରୁ ଛଡ଼ାଇ ଆଣିଛି। ପଶ୍ଚିମବଙ୍ଗର ଧୁପଗୁରି ଆସନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଜୟୀ ହୋଇଛି। ଝାଡ଼ଖଣ୍ଡର ଡୁମ୍ରି ଆସନରେ ଜେଏମ୍‌ଏମ୍‌ ପ୍ରାର୍ଥୀ ଜିତିଥିବାବେଳେ ଉତ୍ତରପ୍ରଦେଶର ଘୋସି ଆସନକୁ ସମାଜବାଦୀ ପାର୍ଟି ବଜାୟ ରଖିଛି। ଏହା ସକାରାତ୍ମକ ରାଜନୀତିର ବିଜୟ ଏବଂ ନକାରାତ୍ମକ ସାମ୍ପ୍ରଦାୟିକ ରାଜନୀତିର ପରାଜୟ। ଏହା ଇଣ୍ଡିଆ ବିଜୟର ଅୟମାରମ୍ଭ ବୋଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି। ଏହି ଉପନିର୍ବାଚନ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ପ୍ରଥମ ନିର୍ବାଚନୀ ପରୀକ୍ଷା ଥିଲା। ଆସନ୍ତାବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ଲକ୍ଷ୍ୟରେ ୨୮ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ଗତ ୫ ତାରିଖରେ ୭ ବିଧାନସଭା ଆସନ ଲାଗି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେଥିରୁ ଭାଜପା ହାତରେ ୩ଟି ଆସନ ପୂର୍ବରୁ ଥିବାବେଳେ କଂଗ୍ରେସ, ଏସ୍‌ପି, ସିପିଆଇ(ଏମ୍‌) ଏବଂ ଜେଏମ୍‌ଏମ୍‌ ହାତରେ ଗୋଟିଏ ଲେଖାଏ ଆସନ ରହିଥିଲା। କେରଳରେ କଂଗ୍ରେସ-ୟୁଡିଏଫ୍‌ ମେଣ୍ଟ ପୁଥୁପାଲି ଆସନକୁ ବଜାୟ ରଖିଛି। ସେଠାରୁ ଚାଣ୍ଡି ଓମେନ୍‌ ବିଜୟୀ ହୋଇଛନ୍ତି। ସେ ୮୦,୧୪୪ ଭୋଟ ପାଇଥିବାବେଳେ ଶାସକ ଏଲ୍‌ଡିଏଫ୍‌ ପ୍ରାର୍ଥୀ ଜାକ୍‌ ସି. ଥୋମାସଙ୍କୁ ୪୨,୪୨୫ ଭୋଟ ମିଳିଛି। ଝାଡ଼ଖଣ୍ଡର ଡୁମ୍ରି ଆସନରେ ଜେଏମ୍‌ଏମ୍‌ର ବେବି ଦେବୀଏଜେଏସ୍‌ୟୁ ପ୍ରାର୍ଥୀ ଯଶୋଦା ଦେବୀଙ୍କୁ ୧୭ ହଜାରରୁ ଅଧିକ ଭୋଟରେ ପରାଜିତ କରିଛନ୍ତି। ଇଣ୍ଡିଆ ବ୍ଲକ୍‌ ପ୍ରତିନିଧି ବେବିଙ୍କୁ ୧,୩୫,୪୮୦ ଭୋଟ ମିଳିଥିବାବେଳେ ଯଶୋଦା ୧,୧୮,୩୮୦ ଭୋଟ ପାଇଛନ୍ତି। ପଶ୍ଚିମବଙ୍ଗ ଧୁପଗୁରି ଆସନରେ ଟିଏମ୍‌ସି ପ୍ରାର୍ଥୀ ନିର୍ମଳ ଚନ୍ଦ୍ର ରାୟ ୪,୩୧୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ୯୬,୯୬୧ ଭୋଟ ପାଇଥିବାବେଳେ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ତାପସୀ ରାୟ ୯୨,୬୪୮ ଭୋଟ ପାଇଛନ୍ତି। ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ଭାଜପାର ପରଓ୍ବତି ଦାସ୍‌ କଂଗ୍ରେସ ପ୍ରାର୍ଥୀ ବସନ୍ତ କୁମାରଙ୍କୁ ୨,୪୦୦ରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି। ୟୁପିର ଘୋଷିରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ସୁଧାକର ସିଂ ବିଜୟୀ ହୋଇଛନ୍ତି। ତ୍ରିପୁରାର ଧନପୁର ଆସନରେ ଭାଜପା ପ୍ରାର୍ଥୀ ବିନ୍ଦୁ ଦେବନାଥ ବିଜୟୀ ହୋଇଛନ୍ତି।

Share