Categories: ଖେଳ

ମହିଳା ଇମର୍ଜିଂ ଏସିଆ କପ୍‌: ଭାରତ ଚାମ୍ପିୟନ

ହଂକଂ,୨୧ା୬: ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଇମର୍ଜିଂ ଏସିଆ କପ୍‌ରେ ଭାରତ ଚାମ୍ପିୟନ ହୋଇଛି। ବୁଧବାର ଖେଳା ଯାଇଥିବା ଟାଇଟଲ୍‌ ମୁକାବିଲାରେ ଭାରତ ୩୧ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଭାରତୀୟ ସ୍ପିନର ଶ୍ରେୟଙ୍କା ପାଟିଲ ଏବଂ ମନ୍ନତ କଶ୍ୟପ ଚମତ୍କାର ବୋଲିଂ କରି ୭ ଉଇକେଟ ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ଉଇକେଟ ହରାଇ ୧୨୭ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୧୯.୨ ଓଭରରେ ୯୬ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା।

ଭାରତ ପକ୍ଷରୁ ବିନ୍ଦ୍ରା ଦୀନେଶ ସର୍ବାଧିକ ୩୬ ରନ୍‌ କରିଥିଲେ। ଅଧିନାୟିକା ଶ୍ୱେତା ଶେରାଓ୍ବତ(୧୩) ଓ ଉମା ଚେତ୍ରୀ(୨୨) ପ୍ରଥମ ଉଇକେଟରେ ୨୮ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ବିନ୍ଦ୍ରା ୨୯ ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ କନିକା ଆହୁଜା ଅପରାଜିତ ୩୦ ରନ୍‌ କରିବାରୁ ଭାରତର ସ୍କୋର ୧୨୭ରେ ପହଞ୍ଚିଥିଲା। ବାଂଲାଦେଶ ପକ୍ଷରୁ ନାହିଦା ଅକତର ଓ ସୁଲତାନା ଖାତୁନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ରାବେୟା ଅକତର ଓ ସଞ୍ଜିଦା ଅକତର ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

୧୨୮ ରନ୍‌ର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ଶାଥି ରାଣା(୧୩), ଶୋଭନା ମୋଷ୍ଟାରେ(୧୬) ଓ ନାହିଦା ଅକତର(୧୭*)ଙ୍କ ସ୍କୋର ବଳରେ ବାଂଲାଦେଶ ୯୬ ରନ୍‌ରେ ସୀମିତ ରହିଥିଲା। ମନ୍ନତ କଶ୍ୟପ ପ୍ରଥମ ଦୁଇ ଉଇକେଟ ନେଇଥିବା ବେଳେ ଶ୍ରେୟଙ୍କା ମିଡିଲ ଅର୍ଡରରେ ୪ ଉଇକେଟ ନେଇଥିଲେ। ଅଫ୍‌ ସ୍ପିନ ଜରିଆରେ ଶୋଭନା, ଲତା ମଣ୍ଡଳ, ମୁର୍ସିଦା ଖାତୁନ ଓ ରାବେୟାଙ୍କୁ ଆଉଟ କରିଥିଲେ। ବାଂଲାଦେଶ ୧୯.୨ ଓଭରରେ ୯୬ ରନରେ ସମସ୍ତ ଉଇକେଟ ହରାଇଥିଲା। ଶ୍ରେୟଙ୍କା ୪, ମନ୍ନତ ୩ ଉଇକେଟ ନେଇଥିବା ବେଳେ କନିକା ଆହୁଜା ୨ ଓ ତିତାସ ସାଧୁ ଗୋଟିଏ ଉଇକେଟ ନେଇଥିଲେ। କନିକା ଆହୁଜାଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଶ୍ରେୟଙ୍କା ପାଟିଲଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଥିଲା।

Share