Categories: ଖେଳ

ଭାରତ ‘ଏ’-ପାକିସ୍ତାନ ‘ଏ’ ଫାଇନାଲ

କଲମ୍ବୋ, ୨୨ା୭: ଭାରତ ‘ଏ’ ଏଠାରେ ଚାଲିଥିବା ଏମର୍ଜିଂ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଏକ ସେମିଫାଇନାଲରେ ବାଂଲାଦେଶକୁ ୫୧ ରନରେ ପରାସ୍ତ କରିଛି। ଦଳ ଫାଇନାଲରେ ପାକିସ୍ତାନ ‘ଏ’ ସହ ମୁକାବିିଲା କରିବ। ଶୁକ୍ରବାର ସ୍ଥାନୀୟ ଆର୍‌. ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ‘ଏ’ ୪୯.୧ ଓଭରରେ ୨୧୧ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍‌ ସ୍କୋରର ଅଧିନାୟକ ୟାଶ ଧୂଲ ୮୫ ବଲ୍‌ରେ ୬୬ ରନ କରିଥିଲେ। ୨୧୨ ରନର ବିଜୟ ଲକ୍ଷ୍ୟ ନେଇ ବାଂଲାଦେଶ ‘ଏ’ ୩୪.୨ ଓଭରରେ ସମସ୍ତ ଉଇକେଟ ହରାଇ ୧୬୦ ରନ କରିପାରିଥିଲା। ତାଞ୍ଜିଦ ହସନ ସର୍ବାଧିକ ୫୧ ଏବଂ ମହମ୍ମଦ ନଇମ ୩୮ରନ କରିଥିଲେ।
ବାଂଲାଦେଶ ବ୍ୟାଟିଂରେ ଅଙ୍କୁଶ ଲଗାଇବାରେ ଭାରତୀୟ ସ୍ପିନରମାନଙ୍କ ବିଶେଷ ଭୂମିକା ରହିଥିଲା। ବାମହାତି ସ୍ପିନର ନିଶାନ୍ତ ସିନ୍ଧୁ ମାତ୍ର ୨୦ ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିଥିଲେ। ମାନବ ସୂଥର ୩୨ରନ ଦେଇ ୩ ଉଇକେଟ ହାସଲ କରିଥିଲେ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ପାକିସ୍ତାନ ‘ଏ’ ୬୦ରନରେ ଶ୍ରୀଲଙ୍କା ‘ଏ’କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିସାରିଥିଲା।

Share