Categories: ଖେଳ

ସଞ୍ଜୁ ସାମ୍‌ସନଙ୍କୁ ଅଧିନାୟକ ଦାୟିତ୍ୱ ଦେଲା ବିସିସିଆଇ, ନେବେ ଏହି ଟିମ୍‌ର ନେତୃତ୍ୱ

ନୂଆଦିଲ୍ଲୀ,୧୬।୯: ଆଗାମୀ ଟି୨୦ ବିଶ୍ୱକପ୍‌ ଦଳରେ ସଞ୍ଜୁ ସାମସନଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇନାହିଁ। ବିସିସିଆଇର ଏଭଳି ନିଷ୍ପତ୍ତି କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଥିଲା। ଏବେ ପ୍ରଶଂସକଙ୍କୁ ଖୁସି କରିବାକୁ ଯାଇ ବୋର୍ଡ ବଡ଼ ପଦକ୍ଷେପ ଉଠାଇଛି। ନ୍ୟୁଜିଲାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଲାଗି ଭାରତ-ଏର ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଏହାଛଡ଼ା ୧୬ ସଦସ୍ୟ ବିଶିଷ୍ଟ ଟିମ୍‌ରେ ବିଶ୍ୱକପ୍‌ ଟିମ୍‌ ଲାଗି ଯୋଗ୍ୟତା ଥିବା କିଛି ଖେଳାଳି ଥିବା ଦେଖାଯାଇଛି। ଖେଳାଳିଙ୍କ ମଧ୍ୟରେ ପୃଥ୍ବୀ ଶ, କୁଳଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ ପ୍ରମୁଖ ଅଛନ୍ତି।

ଭାରତ-ଏ ଟିମ୍‌:- ପୃଥ୍ବୀ ଶ, ଅଭିମନ୍ୟୁ ଈଶ୍ୱରନ୍‌, ଋତୁରାଜ ଗାୟକଓ୍ବାଡ, ରାହୁଲ ତ୍ରିପାଠୀ, ରଜତ ପାଟିଦାର, ସଞ୍ଜୁ ସାମସନ(ଅଧିନାୟକ), କେଏସ୍‌ ଭରତ(ଉଇକେଟକିପର), କୁଳଦୀପ ଯାଦବ, ଶାହାବାଜ ଅହମ୍ମଦ, ରାହୁଲ ଚାହର, ତିଳକ ବର୍ମା, କୁଲଦୀପ ସେନ୍‌, ଶାର୍ଦ୍ଦୁଳ ଠାକୁର, ଉମରାନ ମଲିକ, ନବଦୀପ ସାଇନି, ରାଜ ଅଙ୍ଗଦା ବାଓ୍ବା।

ତେବେ ନ୍ୟୁଜିଲାଣ୍ଡ-ଏ ବିପକ୍ଷରେ ଅନାଧିକାରିକ ଦିନିକିଆ ସିରିଜର ତିନୋଟି ଯାକ ମୁକାବିଲା ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମୁକାବିଲା ସେପ୍ଟେମ୍ବର ୨୨ରେ ରହିଥିବା ବେଳେ ୨୫ ଏବଂ ୨୭ ସେପ୍ଟେମ୍ବରରେ ବାକି ଦୁଇଟି ମୁକାବିଲା ଅନୁଷ୍ଠିତ ହେବ।

Share