ପୁଣି ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୪।୩: ୟୁକ୍ରେନ ଓ ରୁଷିଆ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତ ପୁଣିଥରେ ମିଳିତ ଜାତିସଂଘରେ ନିଜର ନିରପେକ୍ଷ ସ୍ଥିତି ଜାରି ରଖିଛି। ଶୁକ୍ରବାର ମିଳିତ ଜାତିସଂଘର ମାନବାଧିକାର ପରିଷଦ ରୁଷିଆ ଓ ୟୁକ୍ରେନ ଯୁଦ୍ଧର ଯାଞ୍ଚ କରିବା ପାଇଁ ଏକ ସ୍ବତନ୍ତ୍ର କମିଶନ ଗଠନ କରିବାକୁ ଚାହୁଁଥିଲା। ଯାହାକୁ ନେଇ ଭୋଟିଂ କରାଯାଇଥିଲା। କିନ୍ତୁ ଭାରତ ଏହି ଭୋଟିଂରୁ ନିଜକୁ ଦୂରେଇ ରଖିଥିବା ଜଣାପଡ଼ିଛି। ତେବେ ମିଳିତ ଜାତିସଂଘରେ ଭାରତ ବାରମ୍ବାର ନିରପେକ୍ଷ ସାଜି ନିଜକୁ ଭୋଟିଂ ଦୂରେଇ ରଖୁଥିବାରୁ ଅନ୍ୟ ଦେଶର ସଦସ୍ୟଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି। ସୂଚନାଯୋଗ୍ୟ, ଏହାପୂର୍ବରୁ ବୁଧବାର ମିଳିତ ଜାତିସଂଘର ମହାସଭାରେ ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଇଥିବା ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହି ପ୍ରସ୍ତାବରେ ୧୪୧ ଦେଶ ସମର୍ଥନ ଜଣାଇଥିବା ବେଳେ ୫ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ମତଦାନ କରିଥିଲେ। ଅର୍ଥାତ୍‌ ଏହି ୫ଟି ଦେଶ ରୁଷିଆ ସମର୍ଥନରେ ରହିଥିଲେ। ଏତଦ୍‌ ବ୍ୟତୀତ ୩୫ଟି ଦେଶ ଏହି ଭୋଟିଂରେ ଭାଗ ନେଇ ନ ଥିଲେ। ଏହି ଦେଶଗୁଡିକ ମଧ୍ୟରେ ଭାରତ ମଧ୍ୟ ସାମିଲ ରହିଥିଲା।

 

Share