ଭାରତ ପାଇଁ ଖୁସି ଖବର, ୟୁଏନଡିପି ରିପୋର୍ଟ: ଭାରତରେ କମିଛି ଗରିବୀ

ଓ୍ବାଶିଂଟନ୍‌,ନୂଆଦିଲ୍ଲୀ,୧୧।୭: ଭାରତ ପାଇଁ ଖୁସି ଖବର। ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ ସଫଳତା ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର ସୀମା ରେଖାରୁୁ ବାହାରି ଆସିଛନ୍ତି।
ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଏବଂ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ ଉଦ୍ୟମ (ଓପିଏଚଆଇ) ମିଳିତ ଭାବେ ଏହି ରିପୋର୍ଟ ପ୍ରକାଶ କରିଛନ୍ତି।

ଏହି ରିପୋର୍ଟରେ ସୂଚିତ କରାଯାଇଛି ଯେ ଭାରତ ସମେତ ୨୫ଟି ଦେଶ ୧୫ବର୍ଷ ମଧ୍ୟରେ ଗ୍ଲୋବାଲ ମଲ୍ଟିଡାଇମେନସନାଲ ଦାରିଦ୍ର୍ୟ ସୂଚକାଙ୍କରେ ପରିବର୍ତ୍ତନ ଆଣିଛନ୍ତି। ଭାରତ ବ୍ୟତୀତ କାମ୍ବୋଡିଆ, ଚାଇନା, କଙ୍ଗୋ, ହୋଣ୍ଡୁରାସ, ଇଣ୍ଡୋନେସିଆ, ମୋରୋକୋ, ସର୍ବିଆ ଏବଂ ଭିଏତନାମ ଭଳି ଦେଶ ବହୁ ସଂଖ୍ୟାରେ ଲୋକ ଦାରିଦ୍ର୍ୟରୁ ବାହାରିଥିବାର ସୂଚନା ମିଳିଛିି।
ଭାରତର ଲୋକମାନେ କ୍ରମାଗତ ଭାବରେ ଦାରିଦ୍ର ସୀମାରୁ ବାହାରକୁ ଆସୁଛନ୍ତି। ଏନେଇ ରିପୋର୍ଟରେ ଭାରତକୁ ପ୍ରଶଂସା କରାଯାଇଛି। ଭାରତର ପ୍ରଦର୍ଶନ ଉଲ୍ଲେଖନୀୟ ବୋଲି ଦର୍ଶାଯାଇଛି। ସୂଚନା ଅନୁଯାୟୀ, ୨୦୦୫-୦୬ ମସିହାରେ ଦେଶରେ ପ୍ରାୟ ୬୪୫ ନିୟୁତ ଲୋକ ଦାରିଦ୍ର ସୀମାରେଖା ତଳେ ରହୁଥିଲେ। ଏହା ପରେ ୨୦୧୫-୧୬ରେ ଏହି ସଂଖ୍ୟା ୩୭ କୋଟିକୁ ହ୍ରାସ ପାଇଥିଲା। ୨୦୧୯-୨୧ ମଧ୍ୟରେ ଏହି ସଂଖ୍ୟା ୨୩ କୋଟିକୁ ହ୍ରାସ ପାଇଛି।

Share