ନୂଆଦିଲ୍ଲୀ,୬।୮: କରୋନା ମହାମାରୀ ଏବେ ଦେଶରେ ଯେଉଁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଏବେସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯ ଲକ୍ଷ ଅତିକ୍ରମ କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୫୬ ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ଗତ ୨୪ ଘଣ୍ଟାରେ ୯୦୪ ଜଣଙ୍କ ମୃତ୍ୟୁ ବି ହୋଇଛି। ଏହାକୁ ଦେଖିଲେ ସ୍ପଷ୍ଟ ହୋଇଛି କି ପୂର୍ବରୁ ଆମେରିକା ଓ ବ୍ରାଜିଲରେ ଗୋଟିଏ ଦିନରେ ବା ୨୪ ଘଣ୍ଟାରେ ଯେତିକି ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଥିଲା ଏବେ ଭାରତରେ ସବୁଠାରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେଣୁ ଦିନିକିଆ ଘଟଣାରେ ଭାରତ ଏବେ ବ୍ରାଜିଲ ଓ ଆମେରିକାକୁ ପଛରେ ପକାଇ ଦେଇଛି। ଅନ୍ୟପଟେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟଣାରେ ଭାରତ ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି। ଆଉ ରାଜଧାନୀ ଦିଲ୍ଲୀରେ ମଧ୍ୟ ଆରୋଗ୍ୟଙ୍କ ହାର କମିବାରେ ଲାଗିଛି ବୋଲି ସୂଚନା ମିଳିଛି।