Categories: ଖେଳ

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ରାଜକୋଟ୍‌, ୨୭ା୯ (ପି.ଟି.): ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯିବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଜିତିବା ସହ ସିରିଜ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିିଛି ଭାରତ। ଏହାଦ୍ୱାରା ଆଗାମୀ ଅନ୍ତର୍ଜାତୀୟ ଦିନିକିଆ ବିଶ୍ୱକପ୍‌ ପାଇଁ ରୋହିତ ଶର୍ମାଙ୍କ ଦଳର ପ୍ରସ୍ତୁତି ଭଲ ରହିଛି ବୋଲି ଧାରଣା ସୃଷ୍ଟି ହେବ। କ୍ରିକେଟ ଇତିହାସରେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ କେବେ କ୍ଲିନ ସୁଇପ୍‌ ସିରିଜ ବିଜୟୀ ହୋଇପାରିନାହିଁ। ଫ୍ରଣ୍ଟ ଲାଇନ୍‌ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ୱେ ଭାରତ ଏହି ସିରିଜରେ ପ୍ରାଧାନ୍ୟ ବିସ୍ତାର କରି ଖେଳୁଛି। ଭାରତ ରେକର୍ଡ କ୍ରମାଗତ ୪ ଦିନିକିଆ ବିଜୟ ସହ ବିଶ୍ୱକପ୍‌ରେ ଏହାର ଅଭିଯାନ ଆରମ୍ଭ କରିବାକୁ ଚାହୁଛି। ଭାରତ ଯଦି ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜ ୩-୦ରେ ବିଜୟ ଲାଭ କରେ ତେବେ ଅକ୍ଟୋବର ୮ରେ ଚେନ୍ନାଇଠାରେ ଦୁଇ ଦଳ ସେମାନଙ୍କ ବିଶ୍ୱକପ୍‌ ଓପନର ଖେଳିବା ପୂର୍ବରୁ ୫ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷରେ ଫେଭରାଇଟ ରହିବ। ଆଗକୁ ମେଗା ଇଭେଣ୍ଟକୁ ଲକ୍ଷ୍ୟ ରଖି ଉଭୟେ ଦଳରେ ବହୁ ଅଦଳ ବଦଳ କରୁଛନ୍ତି। ତେଣୁ ପୂର୍ବାନୁମାନରେ ଏପଟ ସେପଟ ହୋଇପାରେ। ତୃତୀୟ ଦିନିକିଆ ପାଇଁ ଭାରତର ‘ୟଙ୍ଗ୍‌ ଗନ୍‌’ ଶୁବମନ ଗିଲ୍‌ ଓ ଶାର୍ଦ୍ଦୂଳ ଠାକୁରଙ୍କୁ ବିଶ୍ରାମ ଦିଆଯାଇଛି। ଶୁବମନ ଗିଲ୍‌ ପ୍ରଥମ ଦୁଇ ଦିନିକିଆରେ ଯଥାକ୍ରମେ ୭୪ ଓ ୧୦୪ ରନ ସଂଗ୍ରହ କରିଛନ୍ତି। ୫୦ ଓଭର ବିଶ୍ୱକପ୍‌ ବର୍ଷରେ ଗିଲ୍‌ ଏହି ଫର୍ମାଟରେ ପ୍ରଥମ ବ୍ୟାଟର ଭାବେ ୧ ହଜାର ରନ ପୂରଣ କରିବା ସହ ୧,୨୩୦ ରନ ସଂଗ୍ରହ କରିସାରିଛନ୍ତି। ତାଙ୍କର ଆଭରେଜ ୭୨.୩୫ ରହିଛି। ଭାରତର ଆଗଧାଡ଼ି ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲି ଦଳକୁ ଫେରିବା ସମ୍ଭାବନା ରହିଛି। କିଛି ଦିନ ବିଶ୍ରାମ ପରେ ଫର୍ମରେ ଥିବା କୁଲଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଏହି ମ୍ୟାଚରେ ଖେଳିପାରନ୍ତି। ରୋହିତଙ୍କ ଅନୁପସ୍ଥିତିରେ ଗତ ଦୁଇଟି ମ୍ୟାଚରେ କେ.ଏଲ୍‌ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଇ ଆସୁଥିଲେ। ରାହୁଲ ଠିକଣା ସମୟରେ ଉଭୟ ବ୍ୟାଟିଂ ଓ ଉଇକେଟକିପିଙ୍ଗରେ ଭଲ ପ୍ରଦର୍ଶନ କରୁଛନ୍ତି। ଭାରତ ପାଇ ଏହା ଖୁସିର ବିଷୟ। ବିଶ୍ୱକପ୍‌ ପାଇଁ ଦଳ ଚୂଡ଼ାନ୍ତ କରିବା ପୂର୍ବରୁ ବରିଷ୍ଠ ସ୍ପିନର ରବିଚନ୍ଦ୍ର ଅଶ୍ୱିନଙ୍କୁ ଏହି ମ୍ୟାଚରେ ସୁଯୋଗ ଦେଇପାରେ। ସିରିଜରେ ଅଷ୍ଟ୍ରେଲିଆର ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବୀ ପ୍ରଦର୍ଶନରେ ବିଫଳ ହୋଇଛି। କ୍ରମାଗତ ୫ଟି ଅନ୍ତର୍ଜାତୀୟ ଦିନିକିଆରେ ପରାଜିତ ହୋଇ ସାରିଥିବା ଅଷ୍ଟ୍ରେଲିଆକୁ ବିଶ୍ୱକପ୍‌ ପୂର୍ବରୁ ବିଜୟ ପଥକୁ ଫେରିବାକୁ ହେବ। କିଛି ମାସ ପୂର୍ବେ ଏହି ଦଳ ଭାରତକୁ ୨-୧ରେ ପରାସ୍ତ କରିଥିଲା। ସେତେବେଳେ ମିଚେଲ ଷ୍ଟାର୍କ ତାଙ୍କ ଚମତ୍କାର ଇନ୍‌ ସୁଇଂ ବୋଲିଂରେ ଭାରତୀୟ ଡାହାଣହାତୀ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ। ବିଶ୍ୱକପ୍‌ ପୂର୍ବରୁ ଏହା ଶେଷ ମ୍ୟାଚ ହୋଇଥିବାରୁ ଅଷ୍ଟ୍ରେଲିଆ ଏହାର ପ୍ରମୁଖ ବୋଲର ପ୍ୟାଟ୍‌ କୁମିନ୍ସ ଓ ମିଚେଲ ଷ୍ଟାର୍କଙ୍କୁ ଖେଳାଇପାରେ। ଭାରତରେ ଚଳିତବର୍ଷ ଟପ୍‌ ଅର୍ଡରରେ ଟ୍ରାଭିସ ହେଡ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ ଓ ମାର୍ନସ ଲାବୁସେନଙ୍କର ପ୍ରଦର୍ଶନ ଆଶାନୁରୂପ ରହିନାହିଁ।

Share