Categories: ଖେଳ

ଇଂଲଣ୍ଡରେ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

କାଣ୍ଟରବରି, ୨୧ା୯ (ପି.ଟି.): ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆ ଜିତି ଭାରତ ୧-୦ରେ ଅଗ୍ରଣୀ ହାସଲ କରିସାରିଛି। ଦ୍ୱିତୀୟ ଦିନିକିଆ ଜିତି ଭାରତ ଇଂଲଣ୍ଡ ମାଟିରେ ବିରଳ ସିରିଜ ବିଜୟ ଲକ୍ଷ୍ୟରେ ରହିଛି। ଶେଷଥର ପାଇଁ ୧୯୯୯ରେ ଇଂଲଣ୍ଡ ମାଟିରେ ଭାରତ ଦିନିକିଆ ସିରିଜ ବିଜୟୀ ହୋଇଥିଲା।
ଟି୨୦ ସିରିଜରେ ୧-୨ରେ ପରାଜିତ ହେବା ପରେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ ପ୍ରଦର୍ଶନରେ ଉନ୍ନତି ଆଣିଛି। ହୋଭ୍‌ରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ପ୍ରଭାବୀ ପ୍ରଦର୍ଶନ କରି ଦଳ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଇଂଲଣ୍ଡ କେତେକ ସିନିୟର ଖେଳାଳିଙ୍କ ବିନା ଏହି ସିରିଜ ଖେଳୁଥିଲେ ହେଁ ଭାରତ ତୁଳନାତ୍ମକଭାବେ ପ୍ରଥମ ଗେମ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲା। ଆଗକୁ ଏହି ମୋମେଣ୍ଟମ ବଜାୟ ରଖିବା ଲକ୍ଷ୍ୟରେ ରହିଛି ଭାରତ। ଏହା ହେଉଛି ଝୁଲଣ ଗୋସ୍ବାମୀଙ୍କ ବିଦାୟକାଳୀନ ସିରିଜ। ଏହାପରେ ୨୦୨୩ ଜୁନ୍‌ ପର୍ଯ୍ୟନ୍ତ ଭାରତୀୟ ଦଳ ଆଉ ଦିନିକିଆ ଖେଳିବାର ନାହିଁ। ୧୯୯୯ରେ ଭାରତୀୟ ମହିଳା ଦଳ ୨-୧ରେ ସିରିଜ ବିଜୟୀ ହୋଇଥିଲା। ଏହି ସିରିଜରେ ଅଞ୍ଜୁମ ଚୋପ୍ରା ଗୋଟିଏ ଲେଖାଏ ଶତକ ଓ ଅର୍ଦ୍ଧଶତକ ହାସଲ କରି ଭାରତକୁ ଫାଇଦାରେ ରଖିଥିଲେ।
ଗତ ମାର୍ଚ୍ଚ ପରେ ଚଳିତ ସିରିଜରେ ପ୍ରଥମଥର ପାଇଁ ଖେଳିବା ସୁଯୋଗ ପାଇଥିବା ୩୯ ବର୍ଷୀୟା ଝୁଲଣ ପୂର୍ବ ମ୍ୟାଚରେ ଚମତ୍କାର ବୋଲିଂ କରିଥିଲେ। ସର୍ବାଧିକ ଉଇକେଟ ନେବାରେ ବିଶ୍ୱରେକର୍ଡର ଅଧିକାରିଣୀ ଝୁଲଣ ଅନ୍ୟ ସମସ୍ତ ବୋଲରଙ୍କ ଅପେକ୍ଷା ଇକୋନୋମିକାଲ ରହିଥିଲେ। ତାଙ୍କ ସ୍ପେଲ୍‌ ୧୦-୨-୨୦-୧ ରହିଥିଲା। ଉପ-ଅଧିନାୟିକା ସ୍ମୃତି ମନ୍ଧାନା ସର୍ବାଧିକ ୯୧ ରନ କରିଥିବାବେଳେ ଉଇକେଟ କିପର ବ୍ୟାଟର ୟାସ୍ତିକା ଭାଟିଆ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅଧିନାୟିକା ହରମନପ୍ରୀତ ୭୪ ରନରେ ଅପରାଜିତ ରହି ଦଳକୁ ବିଜୟ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଓପନର ଶେଫାଳି ବର୍ମା ଗତ ୧୦ଟି ଇନିଂସରେ ଅର୍ଦ୍ଧଶତକ ହାସଲ କରିପାରିନାହାନ୍ତି। ତେଣୁ ତାଙ୍କ ବ୍ୟାଟ୍‌ରୁ ଏକ ବଡ଼ ସ୍କୋର ଚାହୁଁଛି ଭାରତ।
ଅନ୍ୟପକ୍ଷରେ ପ୍ରଥମେ ବ୍ୟାଟିଂ କଲେ ଇଂଲଣ୍ଡ ଆଗାମୀ ମ୍ୟାଚରେ ଏକ ବଡ଼ ସ୍କୋର ଛିଡ଼ା କରିବା ଲକ୍ଷ୍ୟରେ ରହିବ। ଏହି ଦଳ ମୁଖ୍ୟତଃ ସୋଫିଆ ଡଙ୍କ୍‌ଲେଙ୍କ ଉପରେ ଅନେକ ପରିମାଣରେ ନିର୍ଭର କରୁଛି। ଡଙ୍କ୍‌ଲେ ଓ ଆଲିସେ କାପ୍‌ସେ ଗତ ମ୍ୟାଚରେ ବିପଜ୍ଜନକ ସାବ୍ୟସ୍ତ ହୋଇ ଆସୁଥିଲେ। ହରମନପ୍ରୀତଙ୍କ ଏକ ହାତିଆ କ୍ୟାଚ ଏମାନଙ୍କ ପାର୍ଟନରଶିପ୍‌ ଭାଙ୍ଗିବା ପରେ ଇଂଲଣ୍ଡ ଇନିଂସ ଭଶୁଡ଼ି ପଡ଼ିଥିଲା। ଭାରତ ଯଦି ଆଗାମୀ ମ୍ୟାଚ ଜିତିବାରେ ସକ୍ଷମ ହୁଏ ତେବେ ୫୦ ଓଭର କ୍ରିକେଟରେ ଭାରତର ମନୋବଳ ବହୁ ପରିମାଣରେ ବଢ଼ିବ।

Share