Categories: ଖେଳ

ଆଜି ଦ୍ୱିତୀୟ ଦିନିକିଆ: ସିରିଜ୍‌ ଜିତିବା ଲକ୍ଷ୍ୟରେ ଭାରତ

ହରାରେ,୨୦।୮: ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ଶନିବାର ଖେଳାଯିବ। ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଦିନିକିଆରେ ଭାରତ ୧୦ ଉଇକେଟରେ ବିଜୟୀ ହୋଇଥିବାରୁ ଆଗାମୀ ମ୍ୟାଚ ଜିତି ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି। ଏହାଛଡ଼ା ଅଧିନାୟକ ଲୋକେଶ ରାହୁଲ ବ୍ୟାଟିଂ ସୁଯୋଗ ପାଇବା ମଧ୍ୟ ଦଳର ଅନ୍ୟତମ ଲକ୍ଷ୍ୟ ରହିବ। କାରଣ ପ୍ରଥମ ଦିନିକିଆରେ ଶିଖର ଧାଓ୍ବନ ଓ ଶୁବମନ ଗିଲ୍‌ ଅପରାଜିତ ରହି ଦଳକୁ ଜିତାଇଥିବାରୁ ଆହତ ସମସ୍ୟାରୁ ଫେରିଥିବା ରାହୁଲ ବ୍ୟାଟିଂ ସୁଯୋଗ ପାଇ ନ ଥିଲେ। ତେଣୁ ଟସ୍‌ ଜିତିଲେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିବ।

ପ୍ରଥମ ଦିନିକିଆକୁ ଭାରତ ସହଜରେ ଜିତିଥିଲେ ହେଁ ଆଗାମୀ ମ୍ୟାଚରେ ଜିମ୍ବାଓ୍ବେ ଚ୍ୟାଲେଞ୍ଜ ଦେବ ବୋଲି ଆଶା କରାଯାଉଛି। ବାଉନ୍ସି ଟ୍ରାକ୍‌ ଏବଂ ଦ୍ରୁତ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ରାହୁଲ ଏବଂ ଅନ୍ୟ ଭାରତୀୟ ବ୍ୟାଟର ପରୀକ୍ଷାର ସମ୍ମୁଖୀନ ହେବେ। ପୂର୍ବ ମ୍ୟାଚରେ ଭାରତର ଦୀପକ ଚହର ନିଜ ବୋଲିଂ ଅବସରରେ ଏହା ପ୍ରମାଣିତ କରିଛନ୍ତି।

ଏହି ସିରିଜ ପାଇଁ ମୁଖ୍ୟ କୋଚ୍‌ ଦାୟିତ୍ୱ ତୁଲାଉଥିବା ଭିଭିଏସ୍‌ ଲକ୍ଷ୍ମଣଙ୍କ ପାଇଁ ସିରିଜ ଜିତିବା ସହ ପରୀକ୍ଷା ନିରୀକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାରତ ସିରିଜ ଜିତିଲେ ସେ ରିଜର୍ଭ ଖେଳାଳିଙ୍କୁ ସୁଯୋଗ ଦେବାକୁ ସମୟ ପାଇବେ। ଏ କ୍ଷେତ୍ରରେ ଇଶାନ କିଷନ ଓ ଲୋକେଶ ରାହୁଲଙ୍କ ବାମ-ଡାହାଣ କମ୍ବିଶେନକୁ ପରୀକ୍ଷା କରାଯାଇ ପାରିବ। ଦୀପକ ଚହର ଗୋଟିଏ ସ୍ପେଲ୍‌ରେ ୭ ଓଭର ବୋଲିଂ କରିବା ଅର୍ଥ ସେ ନିଜର କାର୍ଯ୍ୟଭାର ଶକ୍ତିକୁ ବଢ଼ାଇ ପାରିଥିବା ସୂଚନା ଦେଇଛନ୍ତି। ସକାଳ ପରିବେଶରେ ବ୍ୟାଟିଂ ଏବଂ ଅପରାହ୍ନ ସେସନରେ ବୋଲିଂ ମଧ୍ୟ ଭାରତୀୟ ଦଳ ପାଇଁ ଚ୍ୟାଲେଞ୍ଜ ସଦୃଶ ହେବ। ମ୍ୟାଚ ମଧ୍ୟାହ୍ନ ୧୨.୪୫ରେ ଆରମ୍ଭ ହେବ।

Share