Categories: ଜାତୀୟ

୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ଉତ୍ତମ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି ଭାରତ

ନୂଆଦିଲ୍ଲୀ,୧୩ା୯: ସୁଲଭ ତଥା ଉତ୍ତମ ଶିକ୍ଷା ସହିତ ୧ ଲକ୍ଷ ବିଦେଶୀ ଛାତ୍ରଙ୍କୁ ସଂଯୋଗ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଗୁଣାତ୍ମକ ଶିକ୍ଷା ସହିତ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ କେବଳ ସେମାନଙ୍କ ଛାତ୍ରମାନଙ୍କୁ ବିଦେଶକୁ ଯିବା ବନ୍ଦ କରିବେ ନାହିଁ ବରଂ ବିଶ୍ୱର ଅନ୍ୟ ଦେଶର ଛାତ୍ରମାନଙ୍କୁ ମଧ୍ୟ ଆକର୍ଷିତ କରିବେ। ବର୍ତ୍ତମାନ ଷ୍ଟଡି ଇନ୍‌ ଇଣ୍ଡିଆ (ଏସ୍‌ଆଇଆଇ) କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷା ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରିଛି।

ଷ୍ଟଡି ଇନ୍‌ ଇଣ୍ଡିଆ ଅଧୀନରେ ବିଦେଶୀ ଛାତ୍ରମାନଙ୍କୁ ଅନ୍‌ଲାଇନ୍‌ କିମ୍ବା ଅଫଲାଇନ୍‌ରେ ଭାରତୀୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସହିତ ଯୋଡ଼ିବା ଲକ୍ଷ୍ୟ ରଖିଛି। ବର୍ତ୍ତମାନ ୫୦୦ ଶହ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏହା ସହ ସଂଯୁକ୍ତ ହୋଇଛି ଏବଂ ସ୍ନାତକୋତ୍ତରରୁ ପିଏଚ୍‌ଡି ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ବିଦେଶୀ ଛାତ୍ରମାନଙ୍କ ପାଇଁ ଏକ ଲକ୍ଷରୁ ଅଧିକ ସିଟ୍‌ ସଂରକ୍ଷିତ କରାଯାଇଛି। ଏଥିସହ ଶିକ୍ଷା ମନ୍ତ୍ରଣାଳୟ ସମଗ୍ର ବିଶ୍ୱରେ ଥିବା ଦୂତାବାସ ମାଧ୍ୟମରେ ପାଠ୍ୟକ୍ରମର ବ୍ରାଣ୍ଡିଂ ଆରମ୍ଭ କରିଛି।

୨୦୪୭ ସୁଦ୍ଧା ଦେଶର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଅତି କମ୍‌ରେ ଏକ ଲକ୍ଷ ବିଦେଶୀ ଛାତ୍ରଙ୍କୁ ଶିକ୍ଷା ଦେବାର ଲକ୍ଷ୍ୟ ରହିଛି। ବୁଧବାର ବିଦେଶୀ ଦୂତାବାସ ଏବଂ ଉଚ୍ଚଶିକ୍ଷାର ପ୍ରତିନିଧିଙ୍କ ସହ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏକ ଦୀର୍ଘ ଆଲୋଚନା କରିଛି।

ଯେଉଁଥିରେ ସେ ନିଜ ଯୋଜନାକୁ ଆଗରେ ରଖିଛି। ଏହା ସହିତ ନୂତନ ଜାତୀୟ ଶିକ୍ଷା ନୀତି (ଏନ୍‌ଇପି) ଆସିବା ପରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ଗୁଣବତ୍ତା ଏବଂ ଗବେଷଣା କାର୍ଯ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ବର୍ତ୍ତମାନ ଆମେରିକାରେ ବିଶ୍ୱର ସର୍ବାଧିକ ବିଶ୍ୱବିଦ୍ୟାଳୟ ଅଛି, ୫ ହଜାରରୁ ଅଧିକ।

Share