Categories: ଜାତୀୟ

ଆଜି ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ, ୨୦୨୪କୁ ନେଇ ହୋଇପାରେ ସିଟ୍‌ ଭାଗବଣ୍ଟା

ନୂଆଦିଲ୍ଲୀ,୧୩।୯: ୨୦୨୪ ନିର୍ବାଚନ ରଣନୀତିକୁ ନେଇ ବିରୋଧୀ ଇ.ଣ୍ଡି.ଆ ମେଣ୍ଟ ଅଣ୍ଟା ଭିଡିଲାଣି। ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ଏନସିପି ନେତା ଶରଦ ପାଓ୍ବାରଙ୍କ ବାସଭବନରେ ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହେବ। ତେବେ ଏହି ବୈଠକରେ ସିଟ୍‌ ଭାଗବଣ୍ଟାକୁ ନେଇ ଆଲୋଚନା କରାଯିବ ସହ ମେଣ୍ଟର ସହଯୋଗୀ ଦଳ ମଧ୍ୟରେ ରାଜ୍ୟ ଚୁକ୍ତିନାମା ନେଇ ସମୟ ସୀମା ଧାର୍ଯ୍ୟ କରାଯିବ ବୋଲି ଆଶା କରାଯାଉଛି।

ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସିପିଆଇଏମ ଏପର୍ଯ୍ୟନ୍ତ କମିଟି ପାଇଁ କୌଣସି ସଦସ୍ୟଙ୍କୁ ମନୋନୀତ କରିନାହିଁ। ଏଥିସହ ଦଳ ବୈଠକରେ ଅନୁପସ୍ଥିତ ରହିବ। ସିପିଆଇଏମକୁ କିଏ ପ୍ରତିନିଧିତ୍ୱ କରିବ ସେନେଇ ସେପ୍ଟେମ୍ବର ୧୬-୧୭ରେ ହେବାକୁ ଥିବା ପଲିଟି ବ୍ୟୁରୋ ବୈଠକରେ ନିଷ୍ପତ୍ତି ନିଆଯିବ। ସେହିପରି ତୃଣମୂଳ କଂଗ୍ରେସର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗଦେବେ ନାହିଁ। କାରଣ ସ୍କୁଲ ଚାକିରି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ହାଜର ହେବାକୁ ସମନ ଜାରି କରିଛି। ଏହି ବୈଠକରେ କଂଗ୍ରେସ, ଡିଏମକେ, ଜେଏମଏମ, ଶିବସେନା (ଉଦ୍ଧବ ଗୋଷ୍ଠୀ), ଆରଜେଡି, ଏଏପି, ଏସପି, ଜେଡିୟୁ, ପିଡିପି, ସିପିଏମ ଇତ୍ୟାଦି ଦଳ ଅଂଶଗ୍ରହଣ କରିବେ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ପୂର୍ବ ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ଆଧାର କରି ସିଟ ଭାଗବଣ୍ଟା ହେବ। ଯେଉଁ ରାଜ୍ୟଗୁଡିକରେ ଯେଉଁ ଦଳ ମଜବୁତ ଅଛି ସେହି ଅନୁସାରେ ସେହି ଦଳ ସେଠାରେ ନିର୍ବାଚନ ଲଢିବ।

Share