‘ଭାରତ-ଆମେରିକା’ର ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ’

ଓ୍ବାଶିଂଟନ,୨୨ା୧୦: ଆମେରିକାରେ ଭାରତର ରାଷ୍ଟ୍ରଦୂତ ତରଣଜିତ୍‌ ସିଂ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଆଧାର ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହା କ୍ରମାଗତ ଭାବେ ବଢୁଛି। କଂଗ୍ରେସର ବରିଷ୍ଠ କର୍ମଚାରୀଙ୍କ ପାଇଁ ଇଣ୍ଡିଆ ହାଉସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାନ୍ଧୁ କହିଛନ୍ତି, ଭାରତ ଏବଂ ଆମେରିକାର କେବଳ ରଣନୀତିକ ତଥା ପ୍ରତିରକ୍ଷା ସମ୍ପର୍କ ନାହିଁ,ସ୍ବାସ୍ଥ୍ୟ ଏବଂ ଫାର୍ମା କ୍ଷେତ୍ରରେ ମଧ୍ୟ ସେମାନଙ୍କର ଗଭୀର ସମ୍ପର୍କ ରହିଛି। ସେ କହିଛନ୍ତି, ବର୍ତ୍ତମାନ ଏହି ସମ୍ପର୍କ ଆହୁରି ନିବିଡ଼ ହେବାକୁ ଯାଉଛି।

ଏହି ଦ୍ୱିପାକ୍ଷିକ ସମ୍ପର୍କର ଏକ ଦୃଢ଼ ଭିତ୍ତି ରହିଛି ଏବଂ ଏହି ଭିତ୍ତିଭୂମି ବିଶ୍ୱାସର ଅଟେ। ଏହି ବିଶ୍ୱାସ ଆହୁରି ବଢ଼ିବାରେ ଲାଗିଛି। ଏଥିରେ ଆମର ସହଭାଗୀତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ପ୍ରସଙ୍ଗରେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ମଜଭୂତ କରିବାକୁ ଉଦ୍ୟମ ଜାରି ରହିଛି। ନିକଟରେ ଆମେରିକାର ଜଷ୍ଟିସ ସିଭିଲ ଡିଭିଜନ ଗ୍ରାହକ ସୁରକ୍ଷା ଶାଖାର ଡେପୁଟି ଆସିଷ୍ଟାଣ୍ଟ ଜେନେରାଲ ଅରୁଣ ଜି ରାଓ ଏବଂ ଏଫ୍‌ବିଆଇ ଅଧିକାରୀମାନେ ସିବିଆଇ ଅଧିକାରୀଙ୍କ ସହ ସାକ୍ଷାତ କରି କାର୍ଯ୍ୟକାରିତା ସହଯୋଗକୁ ମଜଭୂତ କରିଛନ୍ତି।

Share