Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବ ଭାରତୀୟ ମହିଳା କ୍ରିକେଟ ଦଳ

ଦୁବାଇ, ୨୬।୪- ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛି ଭାରତୀୟ ମହିଳା କ୍ରିକେଟ ଦଳ। ଏହି ମଲ୍ଟି ସ୍ପୋଟର୍‌ସ ଇଭେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଛି କ୍ରିକେଟ। ଭାରତ ସହ ଅନ୍ୟ ୫ ଦଳ ଇଭେଣ୍ଟରେ ଭାଗ ନେବେ। ଆୟୋଜକ ଇଂଲଣ୍ଡ ସହିତ ଯୋଗ ଦେଇଥିବା ୬ ଯୋଗ୍ୟତାପ୍ରାପ୍ତ ଦଳ ହେଲେ ଅଷ୍ଟ୍ରେଲିଆ, ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜର ଏକ ଦଳ। ଏପ୍ରିଲ ୧ ସୁଦ୍ଧା ଆଇସିସି ର଼୍ୟାଙ୍କିଙ୍ଗ ଅନୁସାରେ ଏହି ଦଳଗୁଡ଼ିକ ଯୋଗ୍ୟତା ହାସଲ କରିଛନ୍ତି।

ଆଇସିସି ପ୍ରତିଯୋଗିତାଗୁଡ଼ିକରେ ଓ୍ବେଷ୍ଟଇଣ୍ଡିଜ ଭାଗ ନେଉଥିଲେ ହେଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଯୋଗ୍ୟତା ପର୍ଯ୍ୟାୟ ପ୍ରକ୍ରିୟା ଅନୁସାରେ କ୍ୱାଲିଫାଇଂ ଇଭେଣ୍ଟ ପରେ କାରିବିୟନ ଅଞ୍ଚଳରୁ କେଉଁ ଦେଶ ଭାଗନେବ ତାହା ସ୍ପଷ୍ଟ ହେବ। ଖେଳାଳିମାନେ ବ୍ୟକ୍ତିଗତଭାବେ ସେମାନଙ୍କ ନିଜ ଦେଶରୁ ପ୍ରତିନିଧିତ୍ୱ କରିବେ। ୨୦୨୨ ଜାନୁୟାରୀ ୩୧ରେ ଏକ କ୍ୱାଲିଫାଇଂ ଟୁର୍ନାମେଣ୍ଟ ହେବ। ଏହାପରେ ଶେଷ ଦଳଭାବେ କିଏ ଅଂଶଗ୍ରହଣ କରିବ ତାହା ସ୍ପଷ୍ଟ ହେବ। ଏହି ଟୁର୍ନାମେଣ୍ଟ ସମ୍ପର୍କରେ ପରେ ସବିଶେଷ ତଥ୍ୟ ପ୍ରକାଶ ପାଇବ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ପକ୍ଷରୁ ଏକ ବିବୃତ୍ତିରେ ପ୍ରକାଶ କରାଯାଇଛି।

Share