Categories: ଜାତୀୟ

ଗୋଗ୍ରାରୁ ହଟିଲେ ଭାରତ, ଚାଇନା ସୈନ୍ୟ

ନୂଆଦିଲ୍ଲୀ, ୭।୮: ପୂର୍ବ ଲଦାଖର ଗୋଗ୍ରା ଫ୍ରିକ୍ସନ ପଏଣ୍ଟରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତିର ପ୍ରାୟ ୧୫ ମାସ ପରେ ଉଭୟ ପକ୍ଷ ସେଠାରୁ ସେନା ପ୍ରତ୍ୟାହାର କରିନେଇଛନ୍ତି। ଏଥିସହିତ ସେଠାରେ ଦୁଇ ଦେଶର ସୈନ୍ୟବାହିନୀ ନିର୍ମାଣ କରିଥିବା ଅସ୍ଥାୟୀ କ୍ୟାମ୍ପ ଓ ଭିତ୍ତିଭୂମିଗୁଡ଼ିକୁ ଭାଙ୍ଗିଦେଇଛନ୍ତି। ପାଟ୍ରୋଲିଂ ପଏଣ୍ଟ-୧୭ଏ ଭାବେ ଜଣାଶୁଣା ଗୋଗ୍ରାରେ ମୁହାଁମୁହିଁ ଅବସ୍ଥାର ପୂର୍ବ ସ୍ଥିତି ଫେରିଥିବା ଭାରତୀୟ ସେନା ପକ୍ଷରୁ ଶୁକ୍ରବାର କୁହାଯାଇଛି। ଅଗଷ୍ଟ ୪, ୫ରୁ ସେନା ପ୍ରତ୍ୟାହାର ହୋଇଥିଲା। ଉଭୟ ପକ୍ଷର ସୈନ୍ୟ ସେମାନଙ୍କ ସ୍ଥାୟୀ ଘାଟିକୁ ଫେରିଯାଇଛନ୍ତି।
ଗତ ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ ସେନା କମାଣ୍ଡରସ୍ତରୀୟ ଦ୍ୱାଦଶ ପର୍ଯ୍ୟାୟ ଆଲୋଚନାବେଳେ ଗୋଗ୍ରାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ହୋଇଥିଲା। ଉକ୍ତ ସେନା ପ୍ରତ୍ୟାହାର ରାଜିନାମା ଅନୁଯାୟୀ ଗୋଗ୍ରାରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଉଭୟ ପକ୍ଷ କଡ଼ା ନଜର ରଖିବା ସହ ସମ୍ମାନ ଜଣାଇବେ। ସେଠାର ସ୍ଥିତାବସ୍ଥାରେ କେହି ଏକପାଖିଆ ପରିବର୍ତ୍ତନ କରିବେ ନାହିଁ। ଗୋଗ୍ରାରୁ ସେନା ପ୍ରତ୍ୟାହାର ଦ୍ୱାରା ଆଉ ଏକ ସମ୍ବେଦନଶୀଳ ଅଞ୍ଚଳର ମୁହାଁମୁହିଁ ସ୍ଥିତିର ସମାଧାନ ହୋଇପାରିଛି। ଲଦାଖର ଅବଶିଷ୍ଟ ବିବାଦୀୟ ପ୍ରସଙ୍ଗର ସମାଧାନ ପାଇଁ ଆଲୋଚନା ଆଗେଇନେବାକୁ ଉଭୟ ପକ୍ଷ ରାଜି ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ପୂର୍ବ ଲଦାଖକୁ ସରକାର ଓ୍ବେଷ୍ଟର୍ନ ସେକ୍ଟର ଭାବେ ନାମିତ କରିଛନ୍ତି। ଦେଶର ସାର୍ବଭୌମତ୍ୱ ବଜାୟ ରଖିବା ସହ ଓ୍ବେଷ୍ଟର୍ନ ସେକ୍ଟର ଅନ୍ତର୍ଗତ ଏଲ୍‌ଏସିରେ ଶାନ୍ତି ଓ ସ୍ଥିରତା ସୁନିଶ୍ଚିତ କରିବା ଲାଗି ଭାରତୀୟ ସେନା ଏବଂ ଆଇଟିବିପି ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି ଉକ୍ତ ଚୁକ୍ତିନାମାରେ କୁହାଯାଇଛି।

 

Share