Categories: ଖେଳ

ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳିଙ୍କୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଜୁନ ୧୨ରେ ବାରବାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଲାଗି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅପରାହ୍ନ ପ୍ରାୟ ୨ଟାରେ ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମେ’ ଫେୟାର ହୋଟେଲକୁ ନିଆଯାଇଛି। ସେଠାରେ ଖେଳାଳିଙ୍କୁ ପାରମ୍ପରିକ ରୀତିନୀତିରେ ସ୍ବାଗତ କରାଯାଇଥିଲା। ହୋଟେଲ କର୍ମଚାରୀମାନେ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତଙ୍କୁ ପାଛୋଟି ନେଇଥିଲେ।

ଉଭୟ ଟିମ୍‌ର ଖେଳାଳିମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ପରେ ସ୍ବତନ୍ତ୍ର ବିମାନ ପହଞ୍ଚିବା ପରେ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କୁ ୩ଟି ବସ୍‌ରେ ମେ’ ଫେୟାର ହୋଟେଲକୁ ନିଆଯାଇଥିଲା। ଏଥିପାଇଁ ପୁରା ରାସ୍ତାରେ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଅନ୍ୟପକ୍ଷରେ ଖେଳାଳିଙ୍କୁ ଦେଖିବା ପାଇଁ ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତାର ଦୁଇ ପାର୍ଶ୍ୱରେ ଶହଶହ ପ୍ରଶଂସକ ଛିଡ଼ା ହୋଇଥିଲେ। ବସ ଭିତରେ ଥିବା ଖେଳାଳିମାନେ ହାତ ହଲାଇ ଅଭିବାଦନ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି।

କହିରଖୁଛୁ, ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳୁଛି। ଗୁରୁବାର ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ତେମ୍ବା ବାଭୁମାଙ୍କ ଦକ୍ଷିଣ ଆଫ୍ରିକାଠାରୁ ୭ ଉଇକେଟରେ ପରାସ୍ତ ହୋଇଛି। ଫଳରେ ଭାରତ ୦-୧ରେ ପଛରେ ରହିଛି।

Share