ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ପାଇଁ ଭାରତ ଦିନିକିଆ ଏବଂ ଟି -୨୦ ଦଳ ଘୋଷଣା କରିଛି। ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ମାତ୍ରେ ଟିମ ଇଣ୍ଡିଆରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗମ୍ଭୀରଙ୍କ ପାଇଁ ଶ୍ରୀଲଙ୍କା ଯାତ୍ରା ପ୍ରଥମ ପରୀକ୍ଷା ହେବ। ଏହି ଯାତ୍ରା ସହିତ ଟିମ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଭାରତର ଦିନିକିଆ ଦଳରେ ନୂଆ ଚେହେରାର ପ୍ରବେଶ ହୋଇଛି। ରିୟାନ ପରାଗ ଏବଂ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିଛି। ବିରାଟ କୋହଲି ଏବଂ ରୋହିତ ଶର୍ମା ଟିମ ଇଣ୍ଡିଆର ଅଂଶ ଅଟନ୍ତି। ରୋହିତ ହେଉଛନ୍ତି ଦିନିକିଆ ଦଳର ଅଧିନାୟକ।
ଟିମ ଇଣ୍ଡିଆରେ ଶୁବମାନ ଗିଲଙ୍କ ସ୍ଥିତି ବୃଦ୍ଧି ପାଇଛି। ଟି -୨୦ ସହିତ ତାଙ୍କୁ ଦିନିକିଆ ଦଳର ଉପ-ଅଧିନାୟକ ମଧ୍ୟ କରାଯାଇଛି। ୱାଶିଂଟନ ସୁନ୍ଦର, ରିୟାନ ପରାଗ, ହର୍ଷିତ ରାଣା ଏବଂ ଖଲିଲ ଅହମ୍ମଦଙ୍କ ଉପରେ ଭାରତ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଟିମ ଇଣ୍ଡିଆ ପାଣ୍ଡ୍ୟାଙ୍କ ବ୍ୟାକଅପ ଭାବରେ ଶିବମ ଦୁବେଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁଛି। ତେଣୁ ଦୁବେଙ୍କୁ ଦିନିକିଆ ଏବଂ ଟି-୨୦ ରେ ଅନ୍ତର୍ଭୁକ୍ତ କରାଯାଇଛି।