ଲେହ,୨୬।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ଶୁକ୍ରବାର ଲଦାଖର ଲେହରେ ଭାରତୀୟ ସେନା ଓ ବାୟୁସେନା ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛନ୍ତି। ଏହି ଯୁଦ୍ଧାଭ୍ୟାସରେ ଯୁଦ୍ଧ ଓ ଟ୍ରାନ୍ସପୋର୍ଟ ବିମାନ ସାମିଲ ହୋଇଥିବା ଜଣାପଡ଼ିଛି। ଏଥିରେ ଭାରତୀୟ ସେନାର ସୁଖୋଇ-୩୦ ଏମ୍କେଆଇ ଅତ୍ୟାଧୁନିକ ଯୁଦ୍ଧ ବିମାନ ସମେତ ହର୍କ୍ୟୁଲସ୍, ବିଭିନ୍ନ ସାମରିକ ସାମଗ୍ରୀ ବିମାନ ଓ ଚିନୁକ ମି-୧୭ ହେଲିକପ୍ଟର ସାମିଲ ହୋଇଥିବା ଜଣାପଡ଼ିଛି। ଯୁଦ୍ଧାଭ୍ୟାସ ସମୟରେ ୨ସେନା ଆକାଶରେ ଭିନ୍ନ ପ୍ରକାର ବାତାବରଣ ସୃଷ୍ଟି କରିବା ସହ ଏକ ସୁରକ୍ଷା କର୍ଡନ ତିଆରି କରିଥିବା ଦେଖିବାକୁ ମିଳିଛି। ଦୁଇ ସେନାଙ୍କ ମଧ୍ୟରେ ସମନ୍ବୟ ବୃଦ୍ଧି କରିବା ହେଉଛି ଏହି ଯୁଦ୍ଧାଭ୍ୟାସର ମୂଳ ଲକ୍ଷ୍ୟ। ଅପରପକ୍ଷେ ଏଲ୍ଏସିରେ ଉତ୍ତେଜନା ମଧ୍ୟରେ ଭାରତୀୟ ସେନା ଓ ବାୟୁସେନାର ଏହି ଯୁଦ୍ଧାଭ୍ୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଠାରେ ଲଗାତର ଭାବେ ଏଭଳି ଅଭ୍ୟାସ ଜାରି ରହିବ ବୋଲି ସେନା ପକ୍ଷରୁ କୁହାଯାଉଛି। କାରଣ ଗଲଓ୍ବାନ ଘାଟି ଓ ପାଙ୍ଗଙ୍ଗ ହ୍ରଦ ଭଳି କେତେକ ସ୍ଥାନରେ ଏବେ ବି ଚାଇନା ସୈନ୍ୟ ପୂର୍ବପରି ମୁତୟନ ରହିଛନ୍ତି। ଏଭଳି ସ୍ଥିତିରେ ଭାରତ କୌଣସି ସ୍ତରରେ ନିଜ ସୈନ୍ୟଙ୍କ ନିୟୋଜନ ହ୍ରାସ କରିବାକୁ ଚାହିଁବ ନାହିଁ।