Categories: ଖେଳ

ବାଂଲାଦେଶ ଏ’ ବିପକ୍ଷରେ ଭାରତ ଏ’ର ଇନିଂସ ବିଜୟ

ସିଲ୍‌ହେଟ୍‌,୧୦ା୧୨ (ପି.ଟି.): ବାଂଲାଦେଶ ଏ’ ବିପକ୍ଷ ଦ୍ୱିତୀୟ ଅନ୍‌ ଅଫିସିଆଲ କ୍ରିକେଟ ଟେଷ୍ଟ ମ୍ୟାଚରେ ଭାରତ ଏ’ ଏକ ଇନିଂସ ଓ ୧୨୩ ରନ୍‌ରେ ବିଜୟ ହାସଲ କରିଛି। ଘରୋଇ ଦଳର ବ୍ୟାଟିଂ ଲାଇନ୍‌ଅପ୍‌ ଭୁଶୁଡ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବାମହାତୀ ରକ୍ଷଣଶୀଳ ସ୍ପିନ୍‌ ବୋଲର ସୌରଭ କୁମାର। ସେ ୬ଟି ଉଇକେଟ ଅକ୍ତିଆର କରିଥିଲେ। ଡିସେମ୍ବର ୧୪ରୁ ଭାରତର ସିନିୟର ଦଳ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବ। ଆଘାତପ୍ରାପ୍ତ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଦଳରେ କାହାକୁ ନିଆଯିବ ସେନେଇ ବିଚାର ଚାଲିଥିବା ବେଳେ ସୌରଭ କୁମାର ଅନ୍ୟତମ ଦାବିଦାର ଭାବେ ଉଭା ହୋଇଛନ୍ତି। ପ୍ରଥମ ଇନିଂସରେ ୩୧୦ ରନ୍‌ରେ ପଛୁଆ ରହିଥିବା ବାଂଲାଦେଶ ଏ’ର ଦ୍ୱିତୀୟ ଇନିଂସରେ ପ୍ରଦର୍ଶନ ଆହୁରି ଦୟନୀୟ ଥିଲା। ଦଳ ୭୯.୫ ଓଭରରେ ୧୮୭ ରନ କରି ଅଲଆଉଟ ହୋଇଯାଇଥିଲା। ବାଂଲାଦେଶ ଏ’ ପ୍ରଥମ ଇନିଂସରେ ଅପେକ୍ଷାକୃତ ଭଲ ସ୍କୋର ୨୫୨ ରନ କରିଥିଲା। ଜବାବରେ ଭାରତ ଅଧିନାୟକ ଅଭିମନ୍ୟୁ ଈଶ୍ୱରନଙ୍କ ୧୫୭ ରନ ସହାୟତାରେ ୯ ଉଇକେଟ ବିନିମୟରେ ବିଶାଳ ୫୬୨ ରନ କରି ଏହାର ପ୍ରଥମ ଇନିଂସ ଘୋଷଣା କରିଥିଲା। ଡ୍ର’ରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ୫ ଉଇକେଟ ସଫଳତା ହାସଲ କରିଥିବା ସୌରଭ ୩୦ ଓଭରରେ ୭୪ ରନ୍‌ ବିନିମୟରେ ୬ ଉଇକେଟ ନେଇଥିଲେ। ସିରିଜ ବିଜୟରେ ଯେଉଁ କେତେଜଣଙ୍କ ବିଶେଷ ଭୂମିକା ରହିଥିଲା, ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ। ଉତ୍ତର ପ୍ରଦେଶର ଏହି ସ୍ପିନର ଦୁଇଟି ଗେମ୍‌ରେ ମୋଟ ୧୫ ଉଇକେଟ ଅକ୍ତିଆର କରି ସିରିଜର ଶ୍ରେଷ୍ଠ ବୋଲର ବିବେଚିତ ହୋଇଛନ୍ତି।
ସଂକ୍ଷିପ୍ତ ସ୍କୋର
ବାଂଲାଦେଶ ଏ’: ୨୫୨ ଓ ୧୮୭ (ଶଦମନ ଇସ୍‌ଲାମ-୯୩*; ସୌରଭ କୁମାର-୬/୭୪, ଉମେଶ ଯାଦବ-୨/୩୪, ନବଦୀପ ସଇନୀ-୨/୫୪)। ଭାରତ ଏ’: ୫୬୨/୯ ଘୋଷଣା।

Share