ଭାରତ-ଏସିଆନ୍‌ ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ: ମୋଦି

ଭିଏନ୍‌ଟିଆନ୍‌, ୧୧।୧୦: ଲାଓସ୍‌ର ରାଜଧାନୀ ଭିଏନ୍‌ଟିଆନ୍‌ରେ ଅନୁଷ୍ଠିତ ହେଉଥିବା ୨୧ତମ ଭାରତ-ଏସିଆନ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଛନ୍ତି। ସମ୍ପ୍ରତି ବିଶ୍ୱର ବିଭିନ୍ନ ଅଞ୍ଚଳରେ ବିବାଦ ଓ ତିକ୍ତତା ଦେଖାଦେଇଥିବାବେଳେ ଭାରତ ଓ ଏସିଆନ ଦେଶଗୁଡ଼ିକର ବନ୍ଧୁତା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୧୦ ବର୍ଷ ତଳେ ସେ ଆକ୍ଟ ଇଷ୍ଟ ପଲିସି ନେଇ ଘୋଷଣା କରିଥିଲେ। ଏହା ପରଠାରୁ ଭାରତ ଓ ଏସିଆନ୍‌ ଦେଶଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ନୂତନ ଶକ୍ତି, ଗତି ଓ ଦିଗ ମିଳିଥିଲା। ସାଧାରଣତଃ ଏସିଆନ୍‌ ଦେଶଗୁଡ଼ିକ ଶାନ୍ତିପ୍ରିୟ ରାଷ୍ଟ୍ର ହୋଇଥାନ୍ତି ବୋଲି ମୋଦି କହିଛନ୍ତି। ଏସିଆନ୍‌ ଦେଶଗୁଡ଼ିକ ସର୍ବଦା ପରସ୍ପରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦେଇ ଆସିଥାନ୍ତି। ଏହି ଅବସରରେ ଭାରତ ଓ ଏସିଆନ୍‌ ରାଷ୍ଟ୍ରଗୁଡ଼ିକର ସମ୍ପର୍କକୁ ମଜଭୁତ୍‌ କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ୧୦ ପଏଣ୍ଟ ବିଶିଷ୍ଟ ଆକ୍ସନ ପ୍ଲାନ୍‌ର ଘୋଷଣା କରିଛନ୍ତି। ୨୦୨୫କୁ ଏସିଆନ୍‌-ଭାରତର ପର୍ଯ୍ୟଟନ ବର୍ଷ ଭାବରେ ପାଳନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଏସିଆନ୍‌-ଭାରତ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଦ୍ୟା ପାଣ୍ଠି ଅଧୀନରେ ଏସିଆନ୍‌-ଭାରତ ମହିଳା ବୈଜ୍ଞାନିକଙ୍କ କନ୍‌କ୍ଲେଭ ଆୟୋଜନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

Share