Categories: ଖେଳ

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଧର୍ମଶାଲା ବଦଳରେ ଖେଳାଯିବ ଇନ୍ଦୋରରେ: ବିସିସିଆଇ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୩।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟକୁ ଇନ୍ଦୋରକୁ ସ୍ଥାନାନ୍ତର କରାଯାଇଛି। ଏହାପୂର୍ବରୁ ଏହି ମ୍ୟାଚ ଧର୍ମଶାଲାରେ ଖେଳାଯିବାର ଯୋଜନା ଥିଲା। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏନେଇ ବିସିସିଆଇ ପକ୍ଷରୁ ସୂଚନା ପ୍ରକାଶ ପାଇଛି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ଧର୍ମଶାଲାରେ ଅନୁଷ୍ଠିତ ହେବାର ଥିଲା, କିନ୍ତୁ ଏହି ଅଞ୍ଚଳରେ ପ୍ରବଳ ଥଣ୍ଡା ଏବଂ ଆଉଟଫିଲ୍ଡରେ ପର୍ଯ୍ୟାପ୍ତ ଘାସ ଅଭାବ ହେତୁ ଏହା ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି। ଧର୍ମଶାଲାରେ ଭିତ୍ତିଭୂମି ବିକାଶ ପାଇଁ ସମୟ ଲାଗିବ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଅବଶିଷ୍ଟ କାର୍ଯ୍ୟସୂଚୀରେ ଅନ୍ୟ କୌଣସି ପରିବର୍ତ୍ତନ ନାହିଁ ବୋଲି ବିସିସିଆଇ କହିଛି।

ବିସିସିଆଇର କ୍ୟୁରେଟର ତାପଶ ଚାଟାର୍ଜୀଙ୍କ ଏକ ରିପୋର୍ଟ ରେ ନିଶ୍ଚିତ କରିଛନ୍ତି ଯେ ଧର୍ମଶାଳା ଗ୍ରାଉଣ୍ଡରେ ଥିବା ଆଉଟଫିଲ୍ଡ ଅନ୍ତର୍ଜାତୀୟ ମ୍ୟାଚ ପାଇଁ ଅନୁପଯୁକ୍ତ। ବିସିସିଆଇ ସଚିବ ଜୟ ଶାହା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ମାର୍ଚ୍ଚ ୧ରୁ ୫ ପର୍ଯ୍ୟନ୍ତ ଧର୍ମଶାଲାର ଏଚପିସିଏ ଷ୍ଟାଡିୟମରେ ଅନୁଷ୍ଠିତ ହେବାର ଥିଲା। ତେବେ ଏହା ବର୍ତ୍ତମାନ ମଧ୍ୟପ୍ରଦେଶର ଇନ୍ଦୋରର ହୋଲକର ଷ୍ଟାଡିୟମକୁ ସ୍ଥାନାନ୍ତରିତ ହୋଇଛି।

 

Share