କାନବେରା,୨ା୧୨- ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍କୁ ୧୩ ରନ୍ରେ ଜିତି ନେଇଛି ଭାରତୀୟ ଦଳ। ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ରେ ପରାସ୍ତ ହେବା ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଚାଖିଛି ବିଜୟ ସ୍ବାଦ। ଏହି ମ୍ୟାଚ୍ ଲାଗି ଦୁଇ ଦଳରେ ଦେଖିବାକୁ ମିଳିଥିଲା ବହୁ ପରିବର୍ତ୍ତନ।
ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ଧାର୍ଯ୍ୟ ୫୦ ଓଭରରେ ୫ ଉଇକେଟ ହରାଇ ୩୦୨ ରନ୍ କରିଥିଲା। ଦଳ ପାଇଁ ଜବରଦସ୍ତ ବ୍ୟାଟିଂ କରିଥିଲେ ଦୁଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା । ଦୁହେଁ ୬ଷ୍ଠ ଉଇକେଟ ଲାଗି ଦଳୀୟ ସ୍କୋରରେ ଯୋଡ଼ିଥିଲେ ୧୫୦ ରନ୍ । ହାର୍ଦ୍ଦିକ ଖେଳିଥିଲେ ୯୨ ରନ୍ର ଧୈର୍ଯ୍ୟପୂର୍ଣ୍ଣ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୭ ଚୌକା ଓ ୧ ଛକା। ଆଉ ଜାଡେଜା (୬୬ ରନ୍, ୫ ଚୌକା ଓ ୩ ଛକା ) ଦେଇଥିଲେ ଉପଯୁକ୍ତ ସହାୟତା। ଏମାନଙ୍କ ବ୍ୟତୀତ ଅଧିନାୟକ କୋହଲି ୬୩ (୫ ଚୌକା) ଓ ଶୁବମନ ଗିଲ ୩୩ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ବୋଲିଂରେ ଆଷ୍ଟୋନ ଆଗର ହାତେଇଥିଲେ ୨ ଉଇକେଟ । ଜବାବରେ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ୧୫୮ ରନ୍ରେ ୫ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା ଘରୋଇ ଅଷ୍ଟ୍ରେଲିଆ ଦଳ। ମାତ୍ର ଫର୍ମରେ ଥିବା ଗ୍ଲେନ ମ୍ୟାକ୍ସଓ୍ବେଲ (୫୯) ଅର୍ଦ୍ଧଶତକୀୟ ଇନିଂସ ଖେଳି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାକୁ ଭରପୂର ପ୍ରୟାସ କରି ବିଫଳ ହୋଇଥିଲେ। ଫଳରେ ୨୮୯ ରନ୍ରେ ଅଲଆଉଟ୍ ହୋଇ ପରାଜୟ ବରଣ କରିଥିଲା ଅଷ୍ଟ୍ରେଲିଆ।