କୋରାପୁଟ ସହରରେ ଭାରତ ବନ୍ଦର ପ୍ରଭାବ: ଗାଡି ଚଳାଚଳ ଠପ୍‌, ଦୋକାନ ବଜାର ବନ୍ଦ

କୋରାପୁଟ,୨୧।୮(ଅମିତାଭ ବେହେରା): କୋରାପୁଟ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ବସ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାପଡ଼ିଛି। ସହରର ଟ୍ରାଫିକ ଛକ, ମହିଳା ମହାବିଦ୍ୟାଳୟ ଛକ, ବାଟମଙ୍ଗଳା ଛକ ସମେତ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇଥିବା ଜଣାପଡିଛି। ଭାରତ ବନ୍ଦକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ତରଫରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଭାରତ ବନ୍ଦକୁ କୋରାପୁଟର ଜନସାଧାରଣ ସମର୍ଥନ କରୁଥିବାରୁ ଅଖିଳ ଭାରତୀୟ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ସମନ୍ବୟ ସମିତିର ପରାମର୍ଶଦାତା ରୂପକ ତୁରୁକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି କୋରାପୁଟ ବିଶାଖାପାଟଣା ୨୬ନଂ ଜାତୀୟ ରାଜପଥର ଦୁରୁଗୁଡାଠାରେ କିଛି ବନ୍ଦ ସମର୍ଥକ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା କେତେକ ଗଛ କାଟି ଜାତୀୟ ରାଜପଥ ଅବରୋଧ କରିଥିବା ଜଣାଯାଇଛି। ଏହାକୁ ନେଇ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ସେହିପରି ଡୁମୁରିପୁଟ ନିଘମାନିଗୁଡା ଛକରେ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ସେହିପରି ଗ୍ରାମଚଳ ରାସ୍ତାକୁ ବାଡ ବାନ୍ଧି ରାସ୍ତା ଅବରୋଧ କରାଯାଇଥିବା ଯୋଗୁ ସ୍ଥାନୀୟ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି କୋରାପୁଟ ସହରର କିଛି ବିଦ୍ୟାଳୟରେ ପାଠ ପଢା ଚାଲିଥିବା ବେଳେ ବନ୍ଦ ସମର୍ଥକ ବିଦ୍ୟାଳୟରେ ଧସାଇ ପଶି ବିଦ୍ୟାଳୟକୁ ବନ୍ଦ କରୁ ଥିବା ଦେଖାଯାଇଛି।