Categories: ଖେଳ

ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ଭାରତ ୪୦୪ରେ ଅଲଆଉଟ୍‌

ଚଟ୍ଟଗ୍ରାମ,୧୫।୧୨: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୦୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଦ୍ୱିତୀୟ ଦିନରେ ଟିମ ଇଣ୍ଡିଆ ୨୭୮/୬ ରନ୍‌ରୁ ଖେଳିବା ଆରମ୍ଭ କରିଥିଲା। ଦ୍ୱିତୀୟ ଦିନର ପ୍ରଥମ ଅଧିବେଶନରେ ବାଂଲାଦେଶ ବୋଲରମାନେ ଏକ ଭଲ ଆରମ୍ଭ କରି ଶ୍ରେୟାସ ଆୟରଙ୍କ ଉଇକେଟ ପାଇଥିଲେ। ଦ୍ୱିତୀୟ ଦିନରେ ଜୀବନ ପାଇବା ସତ୍ତ୍ୱେ ଶ୍ରେୟାସ ତାଙ୍କ ଶତକ ପୂରଣ କରିପାରି ନ ଥିଲେ ଏବଂ ଗତକାଲିର ସ୍କୋରରେ ମାତ୍ର ଚାରି ରନ ଯୋଡିବା ପରେ ୮୬ ରନ୍‌ରେ ସେ ଆଉଟ୍‌ ହୋଇଥିଲେ। ଦିନର ପ୍ରଥମ ଘଣ୍ଟା ବାଂଲାଦେଶ ବୋଲରଙ୍କ ନାମରେ ଥିଲା, କିନ୍ତୁ ଏହା ପରେ କୁଲଦୀପ ଏବଂ ଅଶ୍ୱିନଙ୍କ ଯୋଡି ଚମତ୍କାର ଖେଳି ଭାରତକୁ ଭଲ ସ୍କୋରକୁ ଆଗକୁ ନେଇଥିଲେ। ଦ୍ୱିତୀୟ ଦିନର ଲଞ୍ଚ୍‌ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୭ ଉଇକେଟ ହରାଇ ୩୪୮ ରନ ସଂଗ୍ରହ କରିଥିଲା। ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା। ଅଶ୍ୱିନ୍‌ ଟେଷ୍ଟ କ୍ୟାରିୟର୍‌ର ୧୩ତମ ଅର୍ଦ୍ଧଶତକ ହାସଲ କରି ୧୧୩ ବଲ୍‌ରୁ ୫୮ ରନ୍‌ କରିଥିଲେ। କୂଳଦୀପ ୪୦ ରନ୍‌ରେ ଆଉଟ୍‌ ହୋଇଥିଲେ। ବାଂଲାଦେଶ ପକ୍ଷରୁ ତୈଜୁଲ ଇସଲାମ ଏବଂ ମେହେଦି ହାସନ ୪ଟି ଲେଖାଏ ଉଇକେଟ୍‌ ନେଇଥିଲେ।

Share