Advertisement
Categories: ଖେଳ

ଆଜି ଭାରତ-ବାଂଲାଦେଶ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଶିଲଂ,୨୫ା୩: ଆଜି ଭାରତୀୟ ଦଳ ୨୦୨୭ ଏଏଫ୍‌ସି ଏସିଆନ କପ୍‌ କ୍ୱାଲିଫାଇଂ ରାଉଣ୍ଡର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ବାଂଲାଦେଶକୁ ଭେଟିବ। ଗତ ୧୯ ତାରିଖରେ ଭାରତୀୟ ଦଳ ୩-୦ ଗୋଲରେ ମାଳଡିଭ୍ସକୁ ହରାଇଥିଲା। ଏହା ମାନୋଲୋ ମାର୍କ୍ୟୁଜଙ୍କ ମାର୍ଗଦର୍ଶନରେ ଦଳର ପ୍ରଥମ ବିଜୟ ଥିଲା। ଏହି ବିଜୟ ଯୋଗୁ ସୁନୀଲ ଛେତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି।

ବାଂଲାଦେଶ ଦଳ ଭାରତ ପାଇଁ ପରିଚିତ ପ୍ରତିଦ୍ୱନ୍ଦ୍ୱୀ। ହେଲେ ଦୁଇ ଦଳ ମଧ୍ୟରେ ପ୍ରତି ଥର ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମ୍ୟାଚ ହୁଏ। ଫିଫା ର଼୍ୟାଙ୍କିଙ୍ଗ୍ସରେ ଭାରତ ୧୨୬ତମ ସ୍ଥାନରେ ଥିବା ବେଳେ ବାଂଲାଦେଶ ୧୮୫ତମ ସ୍ଥାନରେ ରହିଛି। ୨୦୨୧ ସାଫ ଚାମ୍ପିୟନଶିପରେ ଦୁଇ ଦଳ ପରସ୍ପରକୁ ଅନ୍ତିମ ଥର ଭେଟିଥିଲେ ଏବଂ ମ୍ୟାଚ ଫଳାଫଳ ୧-୧ ଗୋଲରେ ଡ୍ର’ ରହିଥିଲା। ତେବେ ବାଂଲାଦେଶ ଦଳରେ ହମଜା ଚୌଧୁରୀଙ୍କ ଭଳି ଖେଳାଳି ରହିଛନ୍ତି, ଯିଏକି ଶିଫିଲ୍ଡ ୟୁନାଇଟେଡ୍‌ ଲାଗି ଇଂଲିଶ ପ୍ରିମିୟର ଲିଗ (ଇପିଏଲ୍‌)ରେ ଖେଳନ୍ତି।

ମଙ୍ଗଳବାର ହେବାକୁ ଥିବା ମ୍ୟାଚ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ ପରାଜୟ ୨୦୨୭ ଏଏଫ୍‌ସି ଏସିଆନ କପରେ ଭାରତର ଖେଳିବାର ଆଶା ପ୍ରତି ଘାତକ ହୋଇପାରେ। ଭାରତୀୟ ଦଳ ଗତ ବର୍ଷ ଦ୍ୱିତୀୟ ରାଉଣ୍ଡ କ୍ୱାଲିଫାଇଂ ଜରିଆରେ ମୁଖ୍ୟ ଟୁର୍ନାମେଣ୍ଟ ଲାଗି ଯୋଗ୍ୟତା ହାସଲ କରିପାରିଥାନ୍ତା। କିନ୍ତୁ ଦଳ ଲଗାତର ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପରାଜିତ ହୋଇଥିଲା।

ଏଥିଯୋଗୁ ମୁଖ୍ୟକୋଚ ଆଇଗର ଷ୍ଟିମାକଙ୍କୁ ତାଙ୍କ ପଦରୁ ବିଦା କରାଯାଇଥିଲା। ଭାରତୀୟ ଦଳକୁ ୨୦୨୭ ଏସିଆନ କପ କ୍ୱାଲିଫାଇଂ ତୃତୀୟ ରାଉଣ୍ଡ ଲାଗି ଗ୍ରୁପ ସି’ରେ ବାଂଲାଦେଶ, ହଂକଂ ଓ ସିଙ୍ଗାପୋର ସହିତ ରଖାଯାଇଛି। ଏହି ଗ୍ରୁପରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଦଳ ମୁଖ୍ୟ ଟୁର୍ନାମେଣ୍ଟରେ ଖେଳିପାରିବେ। ମ୍ୟାଚ ସମ୍ପର୍କରେ ମାର୍କ୍ୟୁଜ କହିଛନ୍ତି ଯେ, ପ୍ରଥମ ମ୍ୟାଚ ସର୍ବଦା ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଛୋଟ ପ୍ରତିଯୋଗିତା ଏବଂ କେବଳ ଟପ ଦଳକୁ ହିଁ ଯୋଗ୍ୟତା ମିଳିବ। ଆମକୁ ଶୀର୍ଷରେ ରହିବା ଦରକାର। ଆମେ ଯଥା ସମ୍ଭବ ଅଧିକ ପଏଣ୍ଟ ହାସଲ କରିବାକୁ ଚାହୁଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel