ଭାରତ-ବାଂଲାଦେଶ ଟ୍ରେନ୍‌ ଚଳାଚଳ ବନ୍ଦ

ନୂଆଦିଲ୍ଲୀ,୬ା୮:ଭାରତରୁ ବାଂଲାଦେଶକୁ ଯାଉଥିବା ସମସ୍ତ ଟ୍ରେନ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ପଡ଼ୋଶୀ ଦେଶରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶକୁ ଦୃଷ୍ଟିରେ ରଖି ସୋମବାର ଏହି ନିଷ୍ପତ୍ତି ନିଆଯାଇଥିବା ରେଲଓ୍ବେ ଅଧିକାରୀମାନେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟରୁ ମିଳିଥିବା ସୂଚନାନୁସାରେ ମୈତ୍ରୀ ଏକ୍ସପ୍ରେସ୍‌, ବନ୍ଧନ ଏକ୍ସପ୍ରେସ୍‌ ଓ ମିତାଲି ଏକ୍ସପ୍ରେସ୍‌ ଜୁଲାଇ ମଧ୍ୟଭାଗରେ ଶେଷ ଥର ପାଇଁ ଚଳାଚଳ କରିଥିଲା। ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ଦୃଷ୍ଟିରେ ରଖି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।
ଢାକାସ୍ଥିତ ହଜରତ୍‌ ଶାହଜଲାଲ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସୋମବାର ଅପରାହ୍ନ ୫ଟା ୫୪ରୁ ବନ୍ଦ କରିଦିଆଯାଇଛି। ଏଥିଯୋଗୁ ଭାରତରୁ ଢାକାକୁ ଯିବାକୁ ଥିବା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନଗୁଡ଼ିକର ଉଡ଼ାଣ ରଦ୍ଦ କରିଦିଆଯାଇଛି। ତେବେ ମୁମ୍ବାଇରୁ ଢାକାକୁ ଭିସ୍ତାରା ବିମାନ ଚଳାଚଳ କରିଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମଙ୍ଗଳବାର ସ୍ଥିତି ଅନୁଧ୍ୟାନ କରି ବିମାନ ଚଳାଚଳ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଦିନକୁ ଏୟାର ଇଣ୍ଡିଆର ୨ଟି ବିମାନ ଦିଲ୍ଲୀରୁ ଢାକାକୁ ଉଡ଼ାଣ କରୁଥିବାବେଳେ ଭିସ୍ତାରା ବିମାନ ମୁମ୍ବାଇରୁ ଥରେ ଉଡ଼ାଣ କରିଥାଏ। ସେହିପରି ଭିସ୍ତାରା ବିମାନ ସପ୍ତାହକୁ ୩ ଥର ଦିଲ୍ଲୀରୁ ଢାକାକୁ ଉଡ଼ାଣ କରିଥାଏ। ଇଣ୍ଡିଗୋ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତାରୁ ଢାକାକୁ ଯାଇଥାଏ।

Share