Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି ଭାରତୀୟ ବ୍ୟାଟର

ପୁଣେ,୩ା୬: ଭାରତୀୟ ବ୍ୟାଟର କେଦାର ଯାଦବ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳ ପକ୍ଷରୁ ସେ ଶେଷଥର ପାଇଁ ୪ ବର୍ଷ ତଳେ ଖେଳିଥିଲେ। ୩୯ବର୍ଷୀୟ ଏହି କ୍ରିକେଟର ୨୦୧୪ ନଭେମ୍ବରରେ ରାଞ୍ଚିଠାରେ ଶ୍ରୀଲଙ୍କା ବିପକ୍ଷ ଏକ ଦିନିକିଆରେ ଭାରତ ତରଫରୁ ଖେଳି ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ସେ ୭୩ ଦିନିକିଆ ଓ ୯ଟି ଅନ୍ତର୍ଜାତୀୟ ଟି୨୦ ଖେଳିଛି। ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ସେ ଜଣେ ଘନିିଷ୍ଠ ଭାବେ ଜଣାଶୁଣା।, ଯାଦବ ବର୍ତ୍ତମାନ ପୁଣେରେ ଚାଲିଥିବା ମହାରାଷ୍ଟ୍ର ପ୍ରିମିୟର ଲିଗ୍‌ରେ କୋହ୍ଲାପୁର ଟସ୍କର ଦଳର ଅଧିନାୟକତ୍ୱ କରୁଛନ୍ତି। ସେ ଅବସର ଘୋଷଣା କରିବା ପରେ ଏହି ଟୁର୍ନାମେଣ୍ଟରେ ତାଙ୍କ ଖେଳ ଜାରି ରହିବ କି ନା ତାହା ସ୍ପଷ୍ଟ ହୋଇନାହିଁ।

ଯାଦବ ଭାରତର ପକ୍ଷରୁ ୭୩ ଅନ୍ତର୍ଜାତୀୟ ଦିନିକିଆ ଖେଳି ଦୁଇ ଶତକ ଓ ୬ ଅର୍ଦ୍ଧଶତକ ସହ ୪୨.୦୯ ଆଭରେଜ ସହ ୧,୩୮୯ ସ୍କୋର କରିଛନ୍ତି। ସେ ଆହୁରି ମଧ୍ୟ ୯ ଅନ୍ତର୍ଜାତୀୟ ଟି୨୦ ଖେଳି ୬ଟି ଇନିଂସରେ ୧୨୨ ରନ କରିଛନ୍ତି। ଯାବଦ ତାଙ୍କର ସବୁଠାରୁ ଉଲ୍ଲେଖନୀୟ ଇନିଂସ ୨୦୧୭ ଜାନୁଆରୀରେ ପୁଣେଠାରେ ଇଂଲଣ୍ଡ ବିପକ୍ଷରେ ଏକ ଅନ୍ତର୍ଜାତୀୟ ଦିନିକିଆରେ ଖେଳିଥିଲେ। ଏହି ହାଇ ସ୍କୋରିଂ ମ୍ୟାଚରେ ସେ ତାଙ୍କର ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ ଶତକ ହାସଲ କରିଥିଲେ। ସେ ୭୬ ବଲ୍‌ରେ ୧୨ଚୌକା ଓ ୪ ଛକା ସହ ୧୨୦ ରନ ସଂଗ୍ରହ କରିଥିଲେ। ଭାରତ ଏହି ମ୍ୟାଚ ୩ ଉଇକେଟରେ ଜିତି ନେଇଥିଲା।

ମ୍ୟାଚରେ ୩୫୧ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ବେଳେ ଭାରତ ଏକଦା ୬୩ ରନରେ ୪ ଉଇକେଟ ହରାଇ ସାରିଥିଲା। ସେତେବେଳେ ଯାଦବ ଓ ବିରାଟ କୋହଲି (୧୨୨) ପଞ୍ଚମ ଉଇକେଟରେ ୧୪୭ ବଲ୍‌ରୁ ୨୦୦ ରନ ଯୋଗ କରିଥିଲେ।

ଯାଦବ ମଧ୍ୟ ଆହୁରି ଜଣେ ଅଫ୍‌ ସ୍ପିନ ବୋଲର। ସେ ୨୭ ଅନ୍ତର୍ଜାତୀୟ ଦିନିକିଆ ଉଇକେଟ ହାସଲ କରିଛନ୍ତି। ଏହି ଡାହାଣହାତୀ ବ୍ୟାଟର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନାଇ ସୁପର କିଙ୍ଗ୍ସ, ପୂର୍ବତନ ଦିଲ୍ଲୀ ଡେୟାର ଡେଭିଲ୍ସ, ବର୍ତ୍ତମାନ କାର୍ଯ୍ୟକ୍ଷମ ନ ଥିବା କୋଚି ଟସ୍କର୍ସ କେରଳ, ପୂର୍ବତନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇ ଖେଳିଛନ୍ତି।

Share