ଅହମ୍ମଦାବାଦ,୧୭।୩: ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍. ରାହୁଲ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ନୈରାଶ୍ୟଜନକ ଫର୍ମକୁ ନେଇ ସମାଲୋଚିତ ହେଉଛନ୍ତି। କାରଣ ସିରିଜର ୩ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ସେ ମାତ୍ର ୧ ରନ୍ କରିଛନ୍ତି। ଏପରିକି ଦୁଇଟିରେ ସେ ଶୂନରେ ପ୍ୟାଭିଲିୟନ ଫେରିଛନ୍ତି। ଏହାକୁ ନେଇ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଖେଳାଯାଉ ବୋଲି କ୍ରିକେଟ ପ୍ରଶଂସକ ଦାବି କରୁଛନ୍ତି। ମାତ୍ର ଅଧିନାୟକ ବିରାଟ କୋହଲିଙ୍କ ସହ ବିସିସିଆଇର ଅନ୍ୟ କର୍ମକର୍ତ୍ତା କ୍ରିକେଟରଙ୍କ ସହ ରହିଛନ୍ତି। ବିରାଟ ରାହୁଲଙ୍କୁ ‘ଚାମ୍ପିୟନ ପ୍ଲେୟାର’ ବୋଲି କହିଥିବା ବେଳେ ଏବେ ଟିମ୍ର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ରାହୁଲଙ୍କୁ ଭାରତୀୟ ଟିମ୍ର ସର୍ବଶ୍ରେଷ୍ଠ ଟି୨୦ ବ୍ୟାଟ୍ସମ୍ୟାନ୍ ବୋଲି କହିଛନ୍ତି।
କୋଚ୍ ବିକ୍ରମ କହିଛନ୍ତି, ଯେକେହି ଖରାପ ସମୟ ଦେଇ ଗତି କରିଥାନ୍ତି। ଗତ ଏକ ବର୍ଷ ମଧ୍ୟରେ ରାହୁଲ ଟି୨୦ ଫର୍ମାଟରେ ଭାରତୀୟ ଟିମ୍ର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ତାଙ୍କର ଷ୍ଟାଇକ୍ ରେଟ୍ ୧୪୫ । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ଆରମ୍ଭ ହେବା ଆଗରୁ ତାଙ୍କ ଷ୍ଟାଇକ୍ ରେଟ୍ ୪୪.୭୦ ରହିଥିଲା। ଏଣୁ ମାତ୍ର ୩ଟି ମ୍ୟାଚ୍ରେ ଖରାପ ଖେଳିବା ଯୋଗୁ ତାଙ୍କୁ ଖରାପ ବ୍ୟାଟ୍ସମ୍ୟାନ୍ କୁହାଯିବା ଠିକ୍ ନୁହେଁ। ସେ ଶୀଘ୍ର ଏଥିରୁ ବାହାରିବେ। ନିଜକୁ ପ୍ରମାଣିତ କରିବେ। ଏବେ ତାଙ୍କୁ ସମର୍ଥନ କରିବାର ସମୟ ବୋଲି ସେ କହିଛନ୍ତି।