Categories: ଖେଳ

ଆର୍ଜେଣ୍ଟିନାକୁ ୨-୧ରେ ହରାଇଲା ଭାରତ

ଇନ୍ଧୋଭେନ୍‌, ୧୨ା୬(ପି.ଟି): ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ସହିତ ୨୦୨୨-୨୩ ପ୍ରୋ ଲିଗ୍‌ ହକି ସିଜନ ଶେଷ କରିଛି ଭାରତ। ନେଦରଲାଣ୍ଡ୍ସ ବିପକ୍ଷ ପରାଜୟ ପରେ ଭାରତୀୟ ଦଳ ଚମତ୍କାର ପ୍ରତ୍ୟାବର୍ତ୍ତନ କରିବା ସହିତ ୨-୧ରେ ବିଜୟୀ ହୋଇଛି। ଭାରତ ପକ୍ଷରୁ ଆକାଶଦୀପ ସିଂ(୧ମ ମିନିଟ) ଓ ସୁଖଜିତ ସିଂ(୧୩ତମ ମିନିଟ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିବା ବେଳେ ଆର୍ଜେଣ୍ଟିନା ପକ୍ଷରୁ ଟୋସ୍କାନି ଲୋକାସ (୫୭ ମିନିଟ)ଗୋଲ ଦେଇଥିଲେ।
ସିଜନର ଅନ୍ତିମ ମ୍ୟାଚରେ ଭାରତ ପ୍ରଥମ ମିନିଟରୁ ଆକ୍ରମଣ କରିଥିଲା। ମ୍ୟାଚର ପ୍ରଥମ ମିନିଟରେ ଗୋଲ ସ୍କୋର କରିବା ସହତ ଆକାଶଦୀପ ଆର୍ଜେଣ୍ଟିନାକୁ ଚକିତ କରି ଦେଇଥିଲେ। ମ୍ୟାଚ୍‌ର ୧୩ତମ ମିନିଟରେ ସୁଖଜିତ ସିଂ ଆଉ ଏକ ଗୋଲ ସ୍କୋର କରିଥିଲେ। ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ପରବର୍ତ୍ତୀ ଦୁଇ କ୍ୱାର୍ଟର ଗୋଲ ଶୂନ୍ୟ ରହିଥିଲା। ଅନ୍ତିମ କ୍ୱାର୍ଟରରେ ଆର୍ଜେଣ୍ଟିନାର ଟୋସ୍କାନି ଲୋକାସ ଏକମାତ୍ର ଗୋଲ ଦେଇଥିଲେ। ପରବର୍ତ୍ତୀ ଅଢେଇ ମିନିଟରେ ଦଳ ପକ୍ଷରୁ ଗୋଲ ପରିଶୋଧର ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳି ନ ଥିଲା। ୧୬ ମ୍ୟାଚ୍‌ରୁ ୩୦ ପଏଣ୍ଟ ସହିତ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି।

 

Share