Categories: ଖେଳ

ଭାରତ ୫-୪ରେ ଅଷ୍ଟ୍ରେଲିଆକୁ ହରାଇଲା

ରାଉରକେଲା ଅଫିସ, ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୩।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋଲିଗ୍‌ ହକି ମ୍ୟାଚରେ ଭାରତ ୫-୪ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ୧୩, ୧୪ ଓ ୫୫ତମ ମିନିଟରେ ପେନାଲ୍ଟି କର୍ନରରୁ ୩ଟି ଗୋଲ ଦେଇ ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଯୁଗରାଜ ସିଂ ୧୭ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ୍‌ରୁ ଏକ ଗୋଲ ଦେଇଥିଲେ। ୫ମ ଗୋଲଟି ସ୍କୋର କରିଥିଲେ ସେଲଭାମ୍‌ କାର୍ଥି।

ଅଷ୍ଟ୍ରେଲିଆ ପକ୍ଷରୁ ଜୋଶୁଆ ବେଜ୍‌ ୨ୟ, କି ଓ୍ବିଲଟ ୪୨, ବେନ୍‌ ଷ୍ଟେନ୍ସ ୫୨ ଓ ଆରନ ଜେଲସ୍କି ୫୬ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ବେଳକୁ ଭାରତ ୪-୧ ଗୋଲରେ ଅଗ୍ରଣୀ ରହିଥିଲା। ଦ୍ୱିତୀୟ ଭାଗ ଖେଳରେ ଅଷ୍ଟ୍ରେଲିଆ ଆକ୍ରମଣାତ୍ମକ ଖେଳି ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିଥିଲେ ହେଁ ପରାଜୟ ସ୍ବାଦ ଚାଖିଥିଲା। ଚଳିତ ଲିଗ୍‌ରେ ୨ ମ୍ୟାଚରୁ ଅଷ୍ଟ୍ରେଲିଆର ଏହା ଦ୍ୱିତୀୟ ପରାଜୟ। ନିଜର ପୂର୍ବ ମ୍ୟାଚରେ ଦଳ ବିଶ୍ୱ ଚାମ୍ପିୟନ ଜର୍ମାନୀଠାରୁ ଗୋଟିଏ ଗୋଲରେ ହାରିଥିଲା। ଭାରତ ଏହାର ପରବର୍ତ୍ତୀ ମ୍ୟାଚ ସୋମବାର ଜର୍ମାନୀ ବିପକ୍ଷରେ ଖେଳିବ।

Share