Categories: ଖେଳ

ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ

ମଙ୍ଗ କକ୍‌ (ହଂକଂ), ୨୨ା୬(ପି.ଟି.): ହଂକଂରେ ଅନୁଷ୍ଠିତ ୨୩ ବର୍ଷରୁ କମ୍‌ ଇମର୍ଜିଂ ଏସିଆ କପ୍‌ରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଭାରତ। ବୁଧବାର ଖେଳା ଯାଇଥିବା ଟାଇଟଲ୍‌ ମୁକାବିଲାରେ ଦଳ ବାଂଲାଦେଶକୁ ୩୧ ରନ୍‌ରେ ପରାସ୍ତ କରିଛି। ଭାରତୀୟ ସ୍ପିନର ଯୋଡି ଶ୍ରେୟଙ୍କା ପାଟିଲ (୪/୧୩) ଓ ମନ୍ନତ କଶ୍ୟପ(୩/୨୦) ଚମତ୍କାର ବୋଲିଂ କରି ନିଜ ମଧ୍ୟରେ ୭ ଉଇକେଟ ବାଣ୍ଟି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୨୭ ରନ୍‌ କରିଥିଲା। ଜବାବରେ ବାଂଲାଦେଶ ୧୯.୨ ଓଭରରେ ୯୬ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଟସ୍‌ ଜିତି ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ବିନ୍ଦ୍ରା ଦୀନେଶ ସର୍ବାଧିକ ୩୬ ରନ୍‌ କରିଥିଲେ। ଅଧିନାୟିକା ଶ୍ୱେତା ଶେରାଓ୍ବତ(୧୩) ଓ ଉମା ଚେତ୍ରୀ(୨୨) ପ୍ରଥମ ଉଇକେଟରେ ୨୮ ରନ୍‌ ଯୋଡିଥିଲେ। ୩ ନମ୍ବରରେ ବ୍ୟାଟିଂ କରିଥିବା ବିନ୍ଦ୍ରା ୨୯ ବଲ୍‌ ଖେଳି ୫ ଚୌକା ଓ ୧ ଛକା ମାରିଥିଲେ। ଶେଷ ଆଡକୁ କନିକା ଆହୁଜା ଅପରାଜିତ ୩୦ ରନ୍‌ କରିବାରୁ ଭାରତର ସ୍କୋର ୧୨୭ରେ ପହଞ୍ଚିଥିଲା। ୨୩ ବଲ୍‌ ଖେଳି ସେ ୪ ଚୌକା ମାରିଥିଲେ। ବାଂଲାଦେଶ ପକ୍ଷରୁ ନାହିଦା ଅକତର ଓ ସୁଲତାନା ଖାତୁନ୍‌ ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ୧୨୮ ରନ୍‌ର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିଥିଲେ। ଶାଥି ରାଣା(୧୩), ଶୋଭନା ମୋଷ୍ଟାରେ (୧୬) ଓ ନାହିଦା ଅକତର(୧୭*)ଙ୍କ ସ୍କୋର ବଳରେ ବାଂଲାଦେଶ ୯୬ ରନ୍‌ରେ ସୀମିତ ରହିଥିଲା। ମନ୍ନତ କଶ୍ୟପ ପ୍ରଥମ ଦୁଇ ଉଇକେଟ ନେଇଥିବା ବେଳେ ଶ୍ରେୟଙ୍କା ମିଡିଲ ଅର୍ଡରରେ ୪ ଉଇକେଟ ନେଇଥିଲେ। ଅଫ୍‌ ସ୍ପିନ ଜରିଆରେ ଶୋଭନା, ଲତା ମଣ୍ଡଳ, ମୁର୍ସିଦା ଖାତୁନ ଓ ରାବେୟାଙ୍କୁ ଆଉଟ କରିଥିଲେ। ବାଂଲାଦେଶ ୧୯.୨ ଓଭରରେ ୯୬ ରନରେ ସମସ୍ତ ଉଇକେଟ ହରାଇଥିଲା। ଶ୍ରେୟଙ୍କା ୪, ମନ୍ନତ ୩ ଉଇକେଟ ନେଇଥିଲେ। କନିକା ଆହୁଜା ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଶ୍ରେୟଙ୍କା ପାଟିଲୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୨୭/୭ (ବିନ୍ଦ୍ରା ଦୀନେଶ-୩୬, କନିକା ଆହୁଜା-୩୦*, ଉମା ଚେତ୍ରୀ-୨୨, ନାହିଦା ଅକତର-୨/୧୩, ସୁଲତାନା ଖାତୁନ-୨/୩୦, ରାବେୟା ଖାନ୍‌-୧/୧୪)। ବାଂଲାଦେଶ ୧୯.୨ ଓଭରରେ ୯୬/୧୦(ନାହିଦା ଅକତର-୧୭*, ଶୋଭନା ମୋଷ୍ଟାରେ-୧୬, ଶାଥି ରାଣା-୧୩, ଶ୍ରେୟଙ୍କା ପାଟିଲ-୪/୧୩, ମନ୍ନତ କଶ୍ୟପ-୩/୨୦, କନିକା ଆହୁଜା-୨/୨୩)।

Share